ଗଛ ଲଗାଇ ନାଁରେ ୭ କୋଟି ଟଙ୍କା ହରିଲୁଟ ଭୁବନେଶ୍ବର:ରାଜଧାନୀରେ ଗଛ ଲଗାଇ ନାଁରେ ୭ କୋଟି ଟଙ୍କା ହରିଲୁଟର କରାଯାଇଥିବା ଅଭିଯୋଗ ଆଣିଲା ବିଜେପି । ଏହାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛି ବିଜେପି । ବିହାର ଲାଲୁଙ୍କ ଚାରା ଘୋଟଲା ଠାରୁ ବି ଓଡ଼ିଶାର ଚାରା ଘୋଟାଲା ବଡ଼ ବୋଲି କହିଛି ବିଜେପି । ରାଜ୍ୟରେ ଗଛ ଲଗା ନାଁରେ ଟଙ୍କା ହରିଲୁଟ ଚାଲିଛି । କେବଳ କାମ୍ପା ଫଣ୍ଡରେ ୬୦୦୦ କୋଟି ଟଙ୍କା ଓ ଓମ୍ବାଡସିରେ ୬୦୦୦ କୋଟି ଟଙ୍କା ଆସିଥିବା ବେଳେ ଏଥିରେ ବ୍ୟପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଅନୀଲ ବିଶ୍ବାଳ।
ତେବେ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, "ରାଜଧାନୀରେ ଗଛ ଲଗାଇ ୭ କୋଟି ହରିଲୁଟର କରାଯାଇଛି । ଓଡ଼ିଶାରେ କଣ ନର୍ସରୀ ନାହିଁ । ଆନ୍ଧ୍ର ଓ ତେଲେଙ୍ଗାନାରୁ କାହିଁକି ଗଛ କିଣାଗଲା । ରାଜ୍ୟରେ ଗଛ ଲଗାଇବା ନାଁରେ ସରକାର ଟଙ୍କା ହରିଲୁଟ କରୁଛନ୍ତି । କେବଳ କାମ୍ପା ଫଣ୍ଡ ୬୦୦୦ କୋଟି ଟଙ୍କା । ଓମ୍ବାଡସିରେ ୬୦୦୦ କୋଟି ଟଙ୍କା । ମହାନଦୀ ଗ୍ରୀନ ମିଶନ ୧୫୦ କୋଟି ସହ ଡିଏମଏଫ ମିଶାଇ ରାଜ୍ୟରେ ୧୫ ହଜାର କୋଟିର ଚାରା ଘୋଟାଲା ହୋଇଛି । ଗଛ ଲଗାଇ ଥିବା ସରକାରୀ ସଂସ୍ଥା ଓଏମସି, ବିଡ଼ିଏ, ବିଏମସି ଅଣଓଡ଼ିଆଙ୍କ ହାତରେ । ସେମାନେ ଓଡିଶା ବାହାରୁ ଚାରା ଆଣିବାକୁ କେଉଁ ଆଧାରରେ ନିଷ୍ପତ୍ତି କଲେ ସରକାର ଏହାର ଉତ୍ତର ରଖନ୍ତୁ ।"
ଏହା ମଧ୍ୟ ପଢ଼ନ୍ତୁ.....ମଲ୍ଟି ପର୍ପୋଜ ଇଣ୍ଡୋର ହଲ୍ ଉଦଘାଟନ କେବେ ? ବିଜେପିର ଅଭିଯୋଗ ନିମ୍ନମାନର କାମ, କାଉଣ୍ଟର କଲେ କ୍ରୀଡାମନ୍ତ୍ରୀ
ଅନୀଲ ଏହା ମଧ୍ୟ କହିଛନ୍ତି, "କେବଳ ଭୁବନେଶ୍ବରରେ ଗଛ ଲଗାଇବାରେ ୭କୋଟି ଟଙ୍କାର ଦୁର୍ନୀତି ହୋଇଛି । ହକି ବିଶ୍ୱକପ୍ ସମୟରେ ସୌନ୍ଦର୍ଯ୍ୟକରଣ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ସବୁ ଅଣଓଡ଼ିଆ ଅଫିସରଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ କରାଯାଇଛି । ହକି ବିଶ୍ୱକପ୍ ସମୟରେ ଲାଗିଥିବା ଗଛମାନଙ୍କର ଚିହ୍ନବର୍ଣ୍ଣ ନାହିଁ । ଗୋଟିଏ ଗୋଟିଏ ଗଛରେ ରାଜ୍ୟ ସରକାର ୧୨ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଯଦି ଭୁବନେଶ୍ବରରେ ସରକାର ଏଭଳି ଦୁର୍ନୀତି କରିପାରୁଛନ୍ତି ତାହାଲେ ଉପାନ୍ତ ଜିଲ୍ଲାରେ କିଭଳି ଲୁଟ୍ପାଟ୍ ହେଉଥିବ ତାହା ଜଣାପଡ଼ୁଛି । ଗଛ ଲଗାଇବା ନାଁରେ ଏସମସ୍ତ ଦୁର୍ନୀତିକୁ ମିଶାଇଲେ ଓଡ଼ିଶାରେ ଯେତିକି କୋଟି ଟଙ୍କାର ଦୁର୍ନୀତି ଗଛ ଲଗାଇବାରେ ହୋଇଛି ତାହା ଲାଲୁ ଯାଦବଙ୍କର ଗୋଖାଦ୍ୟ ଚାରା ଦୁର୍ନୀତିକୁ ବଳିଯିବ । ସେହିପରି ରାଜଧାନୀରେ ଶିଖରଚଣ୍ଡୀ ଠାରେ ଏବେ ବି ଗଛରେ ପାଣି ଦେବା ନାମରେ ବିଲ ହେଉଛି । ଯାହାକି ସେଠାରେ ଗୋଟେ ବି ଗଛ ନାହିଁ । ରାଜଧାନୀରେ ଚାରା ଘୋଟାଲା ଏବେ ସୂଚନା ଅଧିକାର ଆଇନରେ ସାମ୍ନାକୁ ଆସିଛି । ଏହି ଘୋଟାଲାରେ ଯେଉଁମାନେ ସାମିଲ ଅଛନ୍ତି ତୁରନ୍ତ ଗିରଫ କରାଯାଉ। ଭିଜିଲାନ୍ସ ବିଭାଗ ଖାଲି ତଳିଆ କର୍ମଚାରୀଙ୍କୁ ଧରୁଛି ହେଲେ ବଡପଣ୍ଡାମାନେ ଖସି ଯାଉଛନ୍ତି । ତେବେ ଏହି ଚାରା ଘୋଟାଲାର ପ୍ରମାଣ ମିଳିସାରିଛି । ହେଲେ ସରକାର କାହିଁକି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର