ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିଶ୍ବସ୍ତରୀୟ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ସତରେ କଣ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହୋଇଛି ? 2021 ମସିହା ଅଗଷ୍ଟ 10 ତାରିଖରେ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ 89ଟି ବହୁମୁଖୀ ଇଣ୍ଡୋର ହଲ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ 693 କୋଟି 35 ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । କ୍ୟାବିନେଟ ଅନୁମୋଦନ ବି ଦେଇଥିଲା । ଲକ୍ଷ୍ୟ ଥିଲା 18 ମାସ ଭିତରେ, ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ 23 ତାରିଖ ସୁଦ୍ଧା କାମ ଶେଷ ହେବ । କିନ୍ତୁ 2023 ମସିହା ସରିବାକୁ ବସିଲାଣି, ସେସବୁ ପ୍ରକଳ୍ପ ମଧ୍ୟରୁ ଗୋଟିଏ ବି ଜୀବନ୍ୟାସ ପାଇପାରିଲାନି । ପ୍ରଶ୍ନ ଉଠୁଛି, କୁଆଡେ ଗଲା ପ୍ରକଳ୍ପ ? କାହିଁକି ସରକାର ଉଦ୍ଘାଟନ କରିପାରିଲେନି ?
'ଅଣଓଡିଆ ଠିକାଦାର ଲୁଟିନେଲେ': ଏହିସବୁ ଇଣ୍ଡୋର ହଲ ନିର୍ମାଣରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛି ବିଜେପି । ବଡ଼ କଥା ହେଲା ଅଣଓଡିଆ ଠିକାଦାରଙ୍କ ହାତରେ କାମ ଟେକି ଦେଇଥିବାରୁ କୋଟି କୋଟି ଟଙ୍କା ହଡପ ହୋଇଛି ବୋଲି ବିଜେପି ଅଭିଯୋଗ ଆଣିଛି । ଦଳର ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଓ 5T ଦୁର୍ନୀତିର ଗନ୍ତାଘର ପାଲଟିଛି । ଓଡ଼ିଆ ଠିକାଦାରଙ୍କୁ ଅଣଦେଖା କରି ତରବରିଆ ଭାବେ ଅଣଓଡ଼ିଆ ଠିକାଦାରଙ୍କ ହାତରେ ନିର୍ମାଣ କାର୍ଯ୍ୟ ଟେକିଦେଇ ଟଙ୍କା ହଡ଼ପ କରିବାକୁ ଏହି ସବୁ ଯୋଜନା ।"
ଦୁର୍ନୀତି ପଦାରେ ପକାଇଛି SM କନ୍ସଲ୍ଟାଣ୍ଟ ରିପୋର୍ଟ: ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ସରକାରଙ୍କ ଦ୍ବାରା ନିୟୋଜିତ ଏସ୍ଏମ୍ କନସଲ୍ଟାଣ୍ଟ ଯେଉଁ ପ୍ରକଳ୍ପର ଗୁଣାତ୍ମକ ମାନର ରିପୋର୍ଟ ଦେଇଛି ତାହା ସରକାର, 5T ଓ ପୂର୍ତ୍ତ ବିଭାଗର ଅପାରଗତା ଏବଂ ଦୁର୍ନୀତିକୁ ପଦାରେ ପକାଇଛି । ରିପୋର୍ଟରେ ଉଲ୍ଲେଖ ରହିଛି ଯେ ପ୍ରତ୍ୟେକ ପ୍ରକଳ୍ପ ଡିଜାଇନରରେ ଦୋଷ ତ୍ରୁଟି ରହିଛି । କେଉଁଠି ଗଟର ସ୍ଲାବ, ବିମ୍ ଖରାପ ଓ ଏଥିରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଦର୍ଶାଯାଇଛି ତ ଅନ୍ୟ କେଉଁଠି ଡିଜାଇନକୁ ଉଲ୍ଲଙ୍ଘନ କରଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ଏନ୍ଏସିରେ ବର୍ଷାରେ ପ୍ରକଳ୍ପର କାନ୍ଥ ଭୁଶୁଡି ଯାଇଥିଲା । ଯେଉଁ କନସଲ୍ଟାଣ୍ଟକୁ ଡିଜାଇନ ପ୍ରସ୍ତୁତ କରିବାକୁ ଦାୟିତ୍ବ ଦିଆଗଲା, ସେହି ସଂସ୍ଥାକୁ ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର ଗୁଣାତ୍ମକ ମାନ ପରୀକ୍ଷା କରିବାକୁ ନିଯୁକ୍ତି ଦେଇଛି । ଏହା ସତ୍ତ୍ବେ ଯେତିକି ଦୋଷ ତ୍ରୁଟି ପଦାକୁ ଆସିଛି, ତାହା ବାସ୍ତବିକ ଚିନ୍ତାର ବିଷୟ ହୋଇଛି ।