ଭୁବନେଶ୍ବର: ରାଜ୍ୟରେ ଆୟକର ବିଭାଗ ଚଢ଼ାଉ ନେଇ ଜାରି ରହିଛି ରାଜନୈତିକ ବୟାନବାଜି । ଗୋଟିଏ ପଟେ ପୁଳା ପୁଳା ଟଙ୍କା ଜବତ ହେଉଥିବା ବେଳେ ଅନ୍ୟପଟେ ବିଜେଡି ବିଜେପି ପରସ୍ପରକୁ କଟାକ୍ଷ କରିବାରେ ଲାଗିଛନ୍ତି । ସିବିଆଇ ତଦନ୍ତ କରିବାକୁ ବିଜେଡିକୁ ବିଜେପି ଆହ୍ବାନ ଦେଇଥିବା ବେଳେ ଏହାର କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର । ଆୟକର ଚଢଉକୁ ନେଇ ବିଜେପି ହୀନ ରାଜନୀତି କରୁଛି । ବିବାଦ ଭିତରକୁ ବିଜେଡିକୁ ଟାଣି ରାଜ୍ୟ ବିଜେପି ଲୋକହସା ହେଉଛି । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ରାଜ୍ୟ ବିଜେପି ଗପ କହୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ମୁଖପାତ୍ର ଇପ୍ସିତା ସାହୁ ।
ସେ କଟାକ୍ଷ କରି କହିଛନ୍ତି ଯେ, ଆୟକର ବିଭାଗର ଚଢାଉକୁ ନେଇ ଓଡ଼ିଶା ବିଜେପି ନେତାମାନେ ହୀନ ରାଜନୀତିର ଉଦ୍ଦେଶ୍ୟ ରଖି ବୟାନ ଦେଉଛନ୍ତି । ଲୋକହସା ହେବା ଆଗରୁ ବୋଧହୁଏ ଦେଖୁନାହାନ୍ତି କିମ୍ବା ବୁଝୁ ନାହାନ୍ତି ଯେ ତାଙ୍କ ନିଜ ଦଳର ରାଷ୍ଟ୍ରୀୟ ସ୍ତରର ନେତାମାନେ କ’ଣ ମତ ରଖୁଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଛନ୍ତି ଯେ, ଦେଶବାସୀ ଏହି ଟଙ୍କାର ସମାହାରକୁ ଦେଖନ୍ତୁ । ଆଉ ଏମାନଙ୍କର ନେତାଙ୍କର ସ୍ୱଚ୍ଛତାର ଭାଷଣ ଶୁଣନ୍ତୁ । ଜନତାଙ୍କ ଠାରୁ ଯାହା ଲୁଟିଛନ୍ତି, ପ୍ରତିଟି ପଇସା ଫେରାଇବାକୁ ପଡିବ । ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟର ଫଟୋକୁ ନିଜ ଏକ୍ସରେ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଥିରେ ଶୀର୍ଷକ ରହିଛି, ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ୧୦ଟି ସ୍ଥାନରେ ଚଢାଉ । ୨୦୦ କୋଟି ନଗଦ ମିଳିଲା, ଗଣତି ଜାରି ।