ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ତେଜିବାରେ ଲାଗିଛି ଗୁଆ ଚାଉଳ ରାଜନୀତି । ଗାଁ ଗାଁ ବୁଲି ଅର୍ପଣ ରଥ ଯେଉଁ ଗୁଆ ଚାଉଳ ସଂଗ୍ରହ କରୁଥିଲା ତାହା କୁଆଡ଼େ ଗଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଖେଳିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ । ଠାକୁରଙ୍କ କଥାରେ ରାଜନୀତି କରାନଯାଉ ବୋଲି କହିଛି ବିଜେଡି । ଚାଉଳ ଓ ଗୁଆ କେଉଁଠି ଅଛି ସେମାନେ ବୁଲିକି ଖୋଜନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।
ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ସାରା ବିଶ୍ବବାସୀଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଐତିହାସିକ ମୁହୂର୍ତ୍ତ ଥିଲା । କେବଳ ରାଜ୍ୟବାସୀ ନୁହେଁ ବିଶ୍ବବାସୀଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ । ଏବେ ଯିଏ ଯିବେ ସୁରୁଖୁରୁରେ ଦର୍ଶନ ସହ ପରିକ୍ରମା କରିବେ । ପରିକ୍ରମା ପ୍ରକଳ୍ପ କେବଳ ଅଭିନବ ନୁହେଁ, ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଲା । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଭକ୍ତଙ୍କ ମହଲରେ ଖୁସିର ଲହର ଅଛି । ଧାର୍ମିକ କାମରେ ସରକାରୀ ଅର୍ଥ ଖର୍ଚ୍ଚ ହେଉଛି । ଏଥିରେ କୌଣସି ଅନିୟମିତତା ନାହିଁ । ସମାଜର ସବୁ ବର୍ଗର ଲୋକ ଯିବେ । ହବିଷ୍ୟାଳିମାନେ ପୁରୀ ଗଲେ ବି ଖର୍ଚ୍ଚ ହେଉଛି । ଏବେ ସାଧାରଣ ଲୋକ ଯିବେ । ଏହା ନିଶ୍ଚୟ ଭାବେ ଉପାଦେୟ କାର୍ଯ୍ୟକ୍ରମ । ଯେଉଁମାନେ ବିରୋଧ କରୁଛନ୍ତି ଲୋକେ ତାଙ୍କୁ ଗ୍ରହଣ କରିବେ ନାହିଁ । ଚାଉଳ ଓ ଗୁଆ କେଉଁଠି ଅଛି ସେମାନେ ବୁଲିକି ଖୋଜନ୍ତୁ ।"
ଏହା ବି ପଢନ୍ତୁ- ମନ୍ଦିରଠୁ ବଢ଼ିଯାଉଛି ମୁଖଶାଳା, BJD କରୁଛି ଭୋଟ୍ ରାଜନୀତି: ପ୍ରତାପ ଷଡ଼ଙ୍ଗୀ
ସେହିପରି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ସାଧାରଣ ଲୋକ ସବୁଦିନ ଜଗା ଦର୍ଶନ କରୁଛନ୍ତି । ଅଧିକ ଭାବେ ଲୋକଙ୍କୁ ନୂତନ ଶ୍ରୀଜଗନ୍ନାଥ ପ୍ରକଳ୍ପ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଜଗନ୍ନାଥ ଆମ ପରିଚୟ, ଆତ୍ମା ଓ ସବୁକିଛି । ସେ ବିଶ୍ବନିଅନ୍ତା । ତାଙ୍କ ପାଖକୁ ଯିବା ପାଇଁ ସବୁବେଳେ ଲୋକେ ବ୍ୟାକୁଳ । ଆତ୍ମାର ଯେମିତି ପରମାତ୍ମାଙ୍କ ପ୍ରତି ଆକର୍ଷଣ ଥାଏ, ସେମିତି ଭାବଗତ ଭାବେ ଜଗନ୍ନାଥଙ୍କ ସହ ଯୋଡ଼ି ହୋଇଛନ୍ତି । ଯିଏ ଯେଉଁଠି ଥାନ୍ତୁ, ବିଶ୍ଵ ନିଅନ୍ତାଙ୍କ ପାଖରେ କେମିତି ପହଁଚିବେ ଓ ନୀଳାଚଳ ଧାମରେ ଦର୍ଶନ କରିବେ । ପରିକ୍ରମା ପ୍ରକଳ୍ପ ପରେ ଲୋକଙ୍କର ଏହି ଉତ୍ସାହ ବୃଦ୍ଧି ପାଇଛି । ଯେଉଁ ଅଭିନବ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ମହାଯଜ୍ଞରେ ଗଜପତି ମହାରାଜ ପୂର୍ଣ୍ଣାହୂତି ଦେଇଛନ୍ତି । ଲୋକଙ୍କ ଆଗ୍ରହ ବଢିବା ସ୍ବାଭାବିକ, ଆସିବେ ।"