ଓଡିଶା

odisha

By

Published : Mar 1, 2023, 12:44 PM IST

ETV Bharat / state

ଯେଉଁ ଦଳର ଛାମୁଆ ନେତା ହତ୍ୟା ଆସାମୀ, ତାଙ୍କଠୁ କଣ ଆଶା କରାଯାଇପାରେ: ବିଜେଡି

ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଘଟଣାରେ ପ୍ରତିକ୍ରିୟା ରଖିଲା ବିଜେଡି । ଯେଉଁ ଦଳର ଛାମୁଆ ନେତା ଜଣେ ହତ୍ୟା ଆସାମୀ ସେମାନଙ୍କ ଠାରୁ କଣ ଅଧିକ ଆଶା କରାଯାଇପାରେ କହିଲେ ବିଜେଡି ମୁଖପାତ୍ର । ଅଧିକ ପଢନ୍ତୁ

ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଉପରେ ବିଜେଡି ପ୍ରତିକ୍ରିୟା
ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ଉପରେ ବିଜେଡି ପ୍ରତିକ୍ରିୟା

ବିକ୍ଷୋଭ ଘଟଣାରେ ପ୍ରତିକ୍ରିୟା ରଖିଲା ବିଜେଡି

ଭୁବନେଶ୍ବର:ମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେପି ଯୁବ ମୋର୍ଚ୍ଚା । ଭୁବନେଶ୍ୱର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିଶାଳ ରାଲି ବିଧାନସଭା ଘେରାଉ ଉଦ୍ୟମ କରିଥିଲା । ଫଳରେ ପୋଲିସ ଓ ଯୁବମୋର୍ଚ୍ଚା କର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣାରେ ଉଭୟ ପକ୍ଷରୁ 20ରୁ ଅଧିକ ଆହତ ହୋଇଥିବା ବେଳେ ଏନେଇ ତୀବ୍ର ପ୍ରତିକ୍ରିୟା ରଖିଛି ବିଜେଡି ।

ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ଅଭିଯୋଗ କରିଛନ୍ତି, ''ଭାରତୀୟ ଜନତା ପାର୍ଟିର ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ହତ୍ୟା ଅଭିଯୁକ୍ତ ଜୟନାରାୟଣ ସମସ୍ତଙ୍କ ଆଖି ସାମ୍ନାରେ ଜଣେ କର୍ତ୍ତବ୍ୟରତ ମହିଳା ପୋଲିସ ଅଧିକାରୀଙ୍କୁ ଧମକ ଚମକ ଦେଇଥିଲେ । ଆକ୍ରମଣ ମଧ୍ୟ କରିଥିଲେ । ଓଡ଼ିଶାବାସୀ ତାହା ଦେଖିଛନ୍ତି । ଆଜି ତାଙ୍କର ପାର୍ଟନର ଇନ୍ କ୍ରାଇମ୍ ଭାରତୀୟ ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ ସେମିତି କିଛି କରିଛନ୍ତି । ଦୁହେଁ ହତ୍ୟା ଘଟଣାରେ ଜେଲ ଯାଇ ଫେରିଛନ୍ତି । ଲୋୟର ପିଏମଜିରେ ସେ ବିକ୍ଷୋଭ ନାଁରେ ଦଙ୍ଗା ରଚିଛନ୍ତି । ପୋଲିସ ଅଧିକାରୀ ମାନଙ୍କୁ ଢେଲାମାଡ ଓ କର୍ମଚାରୀଙ୍କୁ ପଥର ମାଡ କରି ଲହୁ ଲୁହାଣ କରିଛନ୍ତି ।'' ଏହାକୁ ବିଜେଡି କୋଠର ଶବ୍ଦରେ ନିନ୍ଦା କରୁଛି ବୋଲି ଚିନ୍ମୟ କହିଛନ୍ତି ।

ବିଜେଡି ମୁଖପାତ୍ର ଆହୁରିମଧ୍ୟ କହିଛନ୍ତି ଯେ, ରାଜ୍ୟବାସୀ ଏହାକୁ ଗ୍ରହଣ କରିବେ ନାହିଁ । ପୋଲିସ ଆମର ସୁରକ୍ଷା ପାଇଁ ରହିଛି । ପୋଲିସକୁ ବାରମ୍ବାର ଆକ୍ରମଣ କରିବା, ଆହତ କରିବା ଓ ତାଙ୍କର ମନୋବଳ ଭାଙ୍ଗିଦେବା ଆଦୌ ଉଚିତ୍ ନୁହେଁ । ଯେଉଁ ଦଳର ଛାମୁଆ ନେତା ଜଣେ ହତ୍ୟା ଆସାମୀ ହେବେ ଏବଂ ଅପରାଧୀ ରହିବେ ସେମାନଙ୍କ ଠାରୁ ଅଧିକା କ'ଣ ଆଶା କରାଯାଇପାରେ । ଏହି ଘଟଣାରେ ବିଜେପିର 20 ଜଣ କର୍ମୀଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ ।

ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି । ବିଜେପି କର୍ମୀଙ୍କ ଆକ୍ରମଣରେ 21 ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଯୁବ ମୋର୍ଚ୍ଚାର ବିଶାଳ ରାଲିରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, ଯୁବମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟଙ୍କ ସମେତ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ଅଂଶ ଗ୍ରହଣ କରିଥିଲେ । ପୋଲିସ କିଛି ବିଜେପି କର୍ମୀଙ୍କୁ ଜୋର କରି ଉଠାଇ ନେଇଥିବାବେଳେ ଧସ୍ତାଧସ୍ତିରେ ବହୁ ପୁରୁଷ ଓ ମହିଳା କର୍ମୀ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details