ଓଡିଶା

odisha

ETV Bharat / state

ଆଇଟି ରେଡ୍‌ ପ୍ରସଙ୍ଗ: ବିଜେଡିର ସଙ୍ଗୀନ ଆରୋପ; 'କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି' - ବିଜେଡି ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ

BJD Press Meet: ଓଡ଼ିଶାରେ ଆଇଟି ରେଡ୍‌ ହେବା ଓ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ରାଜନୀତି ସରଗରମ ହୋଇଛି । ଏହି ପ୍ରସଙ୍ଗରେ ଏବେ ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ଆରୋପ ଓ ପ୍ରତ୍ୟାରୋପ । ଓଡ଼ିଶାରେ କଂଗ୍ରେସର ସୁରକ୍ଷା କବଚ ସାଜିଛି ରାଜ୍ୟ ବିଜେପି ବୋଲି ଅଭିଯୋଗ କରିଛି ବିଜେଡି । ଅଧିକ ପଢ଼ନ୍ତୁ

ବିଜେଡି ପ୍ରେସ୍‌ମିଟ୍‌
BJD Press Meet

By ETV Bharat Odisha Team

Published : Dec 11, 2023, 8:26 PM IST

BJD Press Meet

ଭୁବନେଶ୍ବର: ମଦ ବ୍ୟବସାୟ ତଥା ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟିକ ପ୍ରତିଷ୍ଠାନରୁ ବିପୁଳ ଅର୍ଥ ଜବତ ହେବାକୁ ନେଇ ଜାତୀୟ ରାଜନୀତି ଜୋର ଧରିଛି । ଆୟକର ବିଭାଗର ଚଢାଉରୁ ୩୦୦ କୋଟି ଟଙ୍କା ମିଳିବାପରେ କେନ୍ଦ୍ରୀୟ ବିଜେପି ନେତୃତ୍ବ କଂଗ୍ରେସକୁ ଦୁର୍ନୀତିର ଗନ୍ତାଘର କହି ସମାଲୋଚନା କରୁଛନ୍ତି । ତେବେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଓଡିଶା କଂଗ୍ରେସ ବିରୋଧରେ ରାଜ୍ୟ ବିଜେପି ନେତାମାନେ ପାଟି ଖୋଲୁନଥିବା ଅଭିଯୋଗ କରିଛି ବିଜେଡି । ରାଜ୍ୟ ବିଜେପି ଏହି ପ୍ରସଙ୍ଗରେ ଓଡିଶା କଂଗ୍ରେସର ସୁରକ୍ଷା କବଚ ସାଜିଥିବା କହିଛନ୍ତି ମୁଖପାତ୍ର ସୋଫିଆ ଆଲମ ଏବଂ ଲେନିନ୍‌ ମହାନ୍ତି ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, "ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅନୁରାଗ ସିଂହ ଠାକୁର, ଜାତୀୟସ୍ତରର ନେତା ଜି.କିଷାନ ରେଡ୍ଡି, ଅମିତ ମାଲବ୍ୟ ପ୍ରମୁଖ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇବା ସହିତ ଏହି ଦୁର୍ନୀତି କଂଗ୍ରେସ କରିଛି ଏବଂ କଂଗ୍ରେସ ନେତା ଏହାର ଉତ୍ତର ଦେବା ଆବଶ୍ୟକ ବୋଲି ବାରମ୍ବାର ଉଲ୍ଲେଖ କରୁଛନ୍ତି । ଏପରିକି ସଂସଦର ଗାନ୍ଧୀମୂର୍ତ୍ତି ତଳେ ବିଜେପି ସାଂସଦମାନେ କଂଗ୍ରେସ ସାଂସଦଙ୍କ ବ୍ୟାପକ ଦୁର୍ନୀତି ବିରୋଧରେ ପ୍ରତିବାଦ ମଧ୍ୟ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଓଡିଶାରେ ରାଜ୍ୟ ବିଜେପି ନେତାମାନେ ଠିକ୍ ଏହାର ଓଲଟା କାମ କରୁଥିବା ଦେଖିବାକୁ ମିଳୁଛି । ସେମାନେ ଏକ ପ୍ରକାର ପ୍ରତିଜ୍ଞା କରିଛନ୍ତି ଯେ, ଯେକୌଣସି ପ୍ରକାରେ ଏହି ପ୍ରସଙ୍ଗରେ କଂଗ୍ରେସକୁ ବଞ୍ଚାଇବେ ।"

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ସାଂସଦଙ୍କ ବିଭିନ୍ନ ଲିକର ଫାର୍ମରୁ କୋଟି କୋଟି ଟଙ୍କା ଜବତ: ନଡ୍ଡା କହିଲେ ରାହୁଲଙ୍କୁ ମଧ୍ୟ ଦେବାକୁ ପଡିବ ଉତ୍ତର

ସେ ଆହୁରି କହିଛନ୍ତି, "ନିଜର ରାଜନୈତିକ ସ୍ବାର୍ଥ ପାଇଁ ଓଡିଶା ବିଜେପି ସବୁବେଳେ ଓଡିଶାକୁ ବଦନାମ କରିବାକୁ ଚେଷ୍ଟା କରୁଛି । ଯେଉଁଥିପାଇଁ ଜନତାଙ୍କ ମଧ୍ୟରେ ଗୁରୁତ୍ବ ହରାଇ ବସୁଛି । ଟଙ୍କା ଜବତ ମାମଲାରେ ମଧ୍ୟ ସମାନ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ମିଛ ଏବଂ ମନଗଢା କାହାଣୀ ଆଧାରରେ ଓଡିଶାକୁ ବଦନାମ କରିବାକୁ ରାଜ୍ୟ ବିଜେପି ନେତାମାନେ ଚେଷ୍ଟା ଚଳାଇଛନ୍ତି । ଲାଗୁଛି ଏହି ପୂରା ପ୍ରସଙ୍ଗରେ ରାଜ୍ୟ ବିଜେପି ନେତା, ରାଷ୍ଟ୍ରୀୟ ନେତୃତ୍ବଙ୍କ ଆଭିମୁଖ୍ୟର ବିପରୀତ ଦିଗରେ ଯାଇ ରାଜ୍ୟ କଂଗ୍ରେସକୁ ପ୍ରାଣପଣେ ବଞ୍ଚାଇବାକୁ ସେମାନଙ୍କ ସାମ୍ନାରେ ଢାଲ ଭଳି ଛିଡା ହୋଇଛନ୍ତି । ଯାହା କଂଗ୍ରେସ ସହ ବିଜେପିର ନିବିଡ଼ତା ଓ ଗୁପ୍ତ ବୁଝାମଣାକୁ ପଦାରେ ପକାଇଛି ।"

ଏହି ଟଙ୍କା ଛତିଶଗଡ଼ ନିର୍ବାଚନରେ ବ୍ୟବହାର କରିବାକୁ ରଖାଯାଇଥିଲା ବୋଲି ବିଜେଡି କହିଛି । ହେଲେ ସଠିକ୍ ସମୟରେ ସ୍ଥାନାନ୍ତର କରାଯାଇ ପାରିନଥିଲା । ପରେ ଆୟକର ବିଭାଗର ଚଢ଼ାଉରେ ଏହା ଧରାପଡ଼ିଛି ବୋଲି ଅନୁମାନ କରିଛନ୍ତି ବିଜେଡି ମୁଖପାତ୍ର । ତେବେ କାହିଁକି ରାଜ୍ୟ ବିଜେପି ଏହି ପ୍ରସଙ୍ଗରେ କଂଗ୍ରେସକୁ ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି, ସେ ପ୍ରଶ୍ନର ଉତ୍ତର ଓଡିଶା ବିଜେପିକୁ ଦେବାକୁ ପଡିବ ବୋଲି କହିଛନ୍ତି ଲେନିନ୍‌ ମହାନ୍ତି । ଏନେଇ ରାଜ୍ୟ କଂଗ୍ରେସ ଓ ରାଜ୍ୟ ବିଜେପି ମଧ୍ୟରେ କିଛି ବୁଝାମଣା ହୋଇଛି କି ? ରାଜ୍ୟବାସୀ ଏହା ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details