ଭୁବନେଶ୍ବର: ଓଡ଼ିଶାରେ ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ । ଓଡିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରୁହନ୍ତୁ ବୋଲି ଓଡିଶା ବିଜେପି ଚାହୁଁଥିବା କହିଲା ବିଜେଡି । ମାଆ ମାନଙ୍କ ସଶକ୍ତିକରଣ ଅଭିଯାନକୁ ବିଜେପି ସହ୍ୟ କରିପାରୁନି ବୋଲି ଅଭିଯୋଗ ବାଢିଛି ବିଜୁ ଜନତା ଦଳ । ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି । ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସେମାନେ ନିଜର ଯୋଗଦାନ ଦେଇ ପାରୁଛନ୍ତି । ଓଡ଼ିଶାରେ ମହିଳା ସଶକ୍ତିକରଣର ଏହି ସଫଳ ଅଭିଯାନ ଆଜି ସବୁରି ମୁହଁରେ ପ୍ରଶଂସିତ ହେଉଥିବା ବେଳେ ରାଜ୍ୟ ବିଜେପି କିନ୍ତୁ ଏହାକୁ ସହିପାରୁନି ବୋଲି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ।
'ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବାକୁ ବିଜେପିର ଷଡ଼ଯନ୍ତ୍ର': ସେ କହିଛନ୍ତି, "ଓଡ଼ିଶା ବିଜେପିର ନେତାମାନେ ଚାହାନ୍ତି, "ଓଡ଼ିଶାର ମହିଳାମାନେ ଘର ଭିତରେ ବନ୍ଦ ହୋଇ ରହନ୍ତୁ । ଚୁଲିମୁଣ୍ଡରେ ରୋଷେଇ କରିବା ବ୍ୟତୀତ ପଦାକୁ ଗୋଡ଼ ନକାଢ଼ନ୍ତୁ । ସେଥିପାଇଁ ସେମାନେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଲାଞ୍ଚ ଖାଉଛନ୍ତି ବୋଲି କହି ଅପମାନିତ କରି ଆସୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିବା ମହିଳାମାନଙ୍କ ବିରୋଧରେ ବିଜେପି ନେତା ବାରମ୍ବାର ମିଥ୍ୟା ଆରୋପ କରୁଛନ୍ତି । ଏହାସହ ସେମାନଙ୍କ ପ୍ରତି କଟୁ ଶବ୍ଦ ପ୍ରୟୋଗ କରୁଛନ୍ତି । କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ମିଶନ ଶକ୍ତି ଅଭିଯାନ ଯୋଗୁଁ ଆଜି ଓଡ଼ିଶାର ମହିଳାମାନେ ହୋଟେଲ/ରେଷ୍ଟୁରାଣ୍ଟ ଚଳାଉଛନ୍ତି । ହସ୍ପିଟାଲ ପରିଚାଳନାଠାରୁ ନେଇ ଧାନ ସଂଗ୍ରହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ସଂପାଦନ କରୁଛନ୍ତି । ନିଜକୁ ସଫଳ ଉଦ୍ୟୋଗୀ ଭାବେ ମଧ୍ୟ ପ୍ରମାଣିତ କରୁଛନ୍ତି । ଆଜି ଓଡ଼ିଶା ବିଜେପିର ଅସଲ ଉଦ୍ଦେଶ୍ୟ ଜଣା ପଡ଼ିଗଲା । ମିଶନ ଶକ୍ତି ଅଭିଯାନକୁ ବନ୍ଦ କରିବା ପାଇଁ ସେମାନଙ୍କର ଏହି ଷଡ଼ଯନ୍ତ୍ର । କିନ୍ତୁ କେବେ ବି ସଫଳ ହେବ ନାହିଁ । ମିଶନ ଶକ୍ତି ସହ ସଂପୃକ୍ତ ଥିବା ମାଆ ଏହାକୁ କେବେ ହେଲେ ବରଦାସ୍ତ କରିବେ ନାହିଁ ।" ସେମାନେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।