ଓଡିଶା

odisha

ETV Bharat / state

ହନୁ ମଲାବେଳେ ସତ କହେ, ବିଜେଡି ମାନିଛି କେନ୍ଦ୍ର ଦେଉଥିଲା ଚାଉଳ : ଗୋଲକ ମହାପାତ୍ର - BJD accepted that center was providing rice

ରାଜ୍ୟରେ ଏବେ ଚାଉଳ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବାପରେ ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଏହାକୁ ନେଇ ଆଜି ଉତ୍ତର ରଖିଛି ବିଜେପି । ଖାଦ୍ୟ ସୁରକ୍ଷା ଯୋଜନା ନାଁରେ ରାଜ୍ୟ ସରକାର ଏକ ନୂଆ ପ୍ରହେଳିକା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ହନୁ ମଲାବେଳେ ସତ କହେ
ହନୁ ମଲାବେଳେ ସତ କହେ

By

Published : Jan 6, 2023, 9:33 PM IST

ହନୁ ମଲାବେଳେ ସତ କହେ, ବିଜେଡି ମାନିଛି କେନ୍ଦ୍ର ଦେଉଥିଲା ଚାଉଳ : ଗୋଲକ ମହାପାତ୍ର

ଭୁବନେଶ୍ବର: "ଓଡିଶା ସରକାରଙ୍କ ସତ ପଦାରେ ପଡିଛି । ଚାଉଳ ନେଇ ଶେଷରେ ସତ ମାନିଛି ବିଜେଡି । ରାଜ୍ୟ ସରକାର ନୁହେଁ କେନ୍ଦ୍ର ସରକାର ଚାଉଳ ଦେଉଛନ୍ତି ବୋଲି ମାନିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜନୈତିକ ଅସ୍ତିତ୍ବର ପ୍ରଶ୍ନ ଆସିଛି ବୋଲି ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି ।" ଏହା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ଗୋଲକ କହିଛନ୍ତି, "ନରେନ୍ଦ୍ର ମୋଦି ସବୁବେଳେ ଗରିବଙ୍କ ସହିତ ଛିଡା ହୋଇଛନ୍ତି । ବିଜେଡି ଲାଗି ରାଜନୈତିକ ଅସ୍ତିତ୍ବର ପ୍ରଶ୍ନ ଆସିଛି । ଦେଶର ଖାଦ୍ୟ ସୁରକ୍ଷା ଆଇନରେ ଥିବା 80 କୋଟି ହିତାଧିକାରୀଙ୍କୁ ମାଗଣା ଚାଉଳ ଓ ଗହମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ଏହି ଯୋଜନାରେ 3 କୋଟି 25 ଲକ୍ଷ ଲୋକ ଉପକୃତ ହେବା ସହ ମାସକୁ 5 କିଲୋ ମାଗଣା ଚାଉଳ ପାଉଛନ୍ତି । କେନ୍ଦ୍ର ସରକାର ଏହି ବାବଦରେ ବର୍ଷକୁ 8 ହଜାର 400 ଶହ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଯେଉଁଦିନ କେନ୍ଦ୍ର ସରକାର ନିଷ୍ପତି ନେଲେ ସମସ୍ତ ହିତାଧିକାରୀଙ୍କୁ 3 ଟଙ୍କାରେ ମିଳୁଥିବା ଚାଉଳକୁ ମାଗଣା କରିଦେବାର ସେହି ଦିନ ରାଜ୍ୟ ସରକାର ଏକ ମିଛ ପ୍ରହେଳିକା ଆରମ୍ଭ କଲେ ଆମେ ମାଗଣା ଚାଉଳ ଦେଉଛୁ । ସମସ୍ତେ ଜାଣନ୍ତି କେନ୍ଦ୍ର ସରକାରଙ୍କର ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ସାମଗ୍ରୀରେ ଆଗରୁ ଚାଉଳ କିଲୋ ପିଛା ଖର୍ଚ୍ଚ ହେଉଥିବା ବେଳେ 37 ଟଙ୍କା 28 ପଇସାରେ ଏଥିରେ କେନ୍ଦ୍ର ସରକାର ଦେଉଥିଲେ 34 ଟଙ୍କା 28 ପଇସା, ରାଜ୍ୟ ସରକାର ଦେଉଥିଲେ ମାତ୍ର 2 ଟଙ୍କା । ମାତ୍ର 2 ଟଙ୍କା ଦେଇ ସବୁ ବାଃ ବାଃ ସାଉଁଟୁଥିଲେ ମୁଖ୍ୟମନ୍ତ୍ରୀ ।"

ଏହାବି ପଢନ୍ତୁ- Deloitt In Bhubaneswar:ଓଡିଆ ଜାତିର ବୌଦ୍ଧିକ କ୍ଷମତାକୁ ସ୍ୱୀକୃତି ଦେଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗୋଲକ ଆହୁରି ମଧ୍ୟ କହିଛନ୍ତି ଯେ ଏହାକୁ ବିଜୁ ଜନତା ଦଳ ଏକ ଭୋଟ ରାଜନୀତିରେ ପରିଣତ କରିଦେଇଥିଲା । ଏଣିକି ଏ ବାବଦରେ ସବୁ ଅର୍ଥ କେନ୍ଦ୍ର ସରକାର ବହନ କରିବେ । ଫଳରେ ବିଜୁ ଜନତା ଦଳ ପାଇଁ ସାଧାରଣ ଲୋକଙ୍କ ଆଗରେ ରାଜନୈତିକ ଅସ୍ତିତ୍ୱର ସଙ୍କଟ ଦେଖାଦେଇଛି । ଯଦି ଆନ୍ତରିକତା ଅଛି ତାହେଲେ ମୋଦି ସରକାର ଯେଉଁ 3 କୋଟି 25 ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଗହମ ଦେଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ଆଉ ଅଧିକ 5 କିଲୋ ଚାଉଳ ଦେଉ । ରାଜ୍ୟ ସରକାର ଏବେ ନୂଆ ବାହାନା ଭାବରେ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ନାଁରେ ଏକ ନୂଆ ପ୍ରହେଳିକା ସୃଷ୍ଟି କରିଛନ୍ତି । ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ 8 ଲକ୍ଷ 88 ହଜାର ଲୋକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଦେଉଛୁ । ହାଇକୋର୍ଟରେ ସରକାର କହିଥିଲେ ଆମେ 34 ଲକ୍ଷ ଲୋକଙ୍କୁ ଚାଉଳ ଦେବୁ । ପରେ କହିଲେ 12 ଲକ୍ଷ ଦେବୁ । ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର 8 ଲକ୍ଷ ଲୋକଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାରେ 3 କୋଟି 25 ଲକ୍ଷ । କେନ୍ଦ୍ର ସରକାର ବର୍ଷକୁ ଖର୍ଚ୍ଚ କରୁଛନ୍ତି 8400 କୋଟି ଟଙ୍କା, ରାଜ୍ୟ ସରକାର ଖର୍ଚ୍ଚ କରିବେ ମାତ୍ର 185 କୋଟି ଟଙ୍କା । ପ୍ରତ୍ୟେକ ବିପଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କ ପାଖରେ ଛିଡା ହୋଇଛନ୍ତି । କୋରୋନାରେ ମାଗଣା ଚାଉଳରୁ ଆରମ୍ଭ କରି ଡାଲି, ଗ୍ୟାସ, ନିର୍ମାଣ ଶ୍ରମିକ, ଜନ ଧନ ଆକାଉଣ୍ଟ ଯାଏଁ ଛିଡା ହୋଇଥିଲେ ମୋଦି ସରକାର ।

ଏହାବି ପଢନ୍ତୁ- Best Three Police Stations In India: ଦେଶର ଶ୍ରେଷ୍ଠ ଥାନା ରୂପେ ଚୟନ ହେଲା ଗଞ୍ଜାମର ଆସିକା ଥାନା

ମୋଦି ସରକାରର ସହାୟତାକୁ ବିଜେଡି ସରକାର କହୁଥିଲେ ଆମେ ଦେଉଛୁ । ଯେଉଁ ଟଙ୍କା ଓଡିଶା ସରକାରଙ୍କ ମାଧ୍ୟମରେ କେନ୍ଦ୍ର ସରକାର ଦେଉଥିଲେ, ତାହା ବାଟମାରଣା ହେଉଥିଲା । କଥାରେ ଅଛି, ହନୁ ମଲା ବେଳକୁ ସତ କହେ । ବିଜେଡିର ଶେଷ ସମୟ ଆସିଯାଇଛି ବୋଧେ ସେଥିପାଇଁ କହୁକହୁ ବିଜେଡି ସାଂସଦ ସସ୍ମିତ ପାତ୍ର ସତ କହି ଦେଇଛନ୍ତି । ଆଜି ପର୍ଯ୍ୟନ୍ତ କେବେ କହୁନଥିଲେ, ଆଜି କହିଛନ୍ତି । ଯଦି ସତରେ ବିଜେଡି ସରକାରର ଦରଦ ଅଛି, ତେବେ ମୁଖ୍ୟମନ୍ତ୍ରୀ ସୋହେଲାରେ 100 ଟଙ୍କା ବୋନସ ଦେବେ ବୋଲି କୁହନ୍ତୁ । କେନ୍ଦ୍ର ସରକାରର ସବୁ ଯୋଜନାକୁ କପି ପେଷ୍ଟ କରି ରାଜ୍ୟ ସରକାର ଚଳାଉଥିବା ବିଜେପି ଅଭିଯୋଗ କରିଛି । ଖୋଲା ବିତର୍କ ଲାଗି ଆହ୍ୱାନ କରିଛି ବିଜେପି । କାଳିଆ ଯୋଜନାରେ 10 ହଜାର ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହିଥିଲେ । ଦେଉଛନ୍ତି ମାତ୍ର 4 ହଜାର । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାଶ, ରାଜେନ୍ଦ୍ର ପଣ୍ଡା, ତେଜେଶ୍ୱର ପରିଡା ଓ ଅନିଲ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details