ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ନବୀନଙ୍କ ନୂଆ ଟିମ ଗଠନ ହୋଇଛି । ଅଭିଜ୍ଞ ଅନୁଭବୀଙ୍କୁ ଭରସା କରି ନୂଆ ଟିମ ଗଠନ କରିଛନ୍ତି ନବୀନ । ପଶ୍ଚିମ, ଦକ୍ଷିଣ ଓ ଉତ୍ତରକୁ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ବିଧାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେଲେ 3 ମନ୍ତ୍ରୀ । ସମସ୍ତ 3 ନୂଆ ସଦସ୍ୟଙ୍କୁ କ୍ୟାବିନେଟ ପାହ୍ୟା ଭାବେ ନିଯୁକ୍ତି ମିଳିଛି । ପ୍ରଥମେ ବିକ୍ରମ କେଶରୀ ଆରୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏହା ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ସୁଦାମ ମାରାଣ୍ଡି ଓ ତୃତୀୟରେ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ବିକ୍ରମ କେଶରୀ ଆରୁଖ: ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ ।ଚଳିତ ବିଧାନସଭାରେ ସେ ବାଚସ୍ପତି ଥିଲେ । ଅନେକ ଥର ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ସମ୍ଭାଳିଛନ୍ତି । ଏବେ ଏହି ବରିଷ୍ଠ ନେତା ପୁଣି ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି । ଦୀର୍ଘ ବର୍ଷ ହେବ ଗଞ୍ଜାମ ଓ କନ୍ଧମାଳ ବିଜେଡି ସଂଗଠନର ଦାୟିତ୍ବରେ ଅଛନ୍ତି ସେ । 1995ରୁ କ୍ରମାଗତ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ । ପୂର୍ବରୁ ଆଇନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜଙ୍ଗଲ ମନ୍ତ୍ରୀ ରହିଛନ୍ତି । ଗଞ୍ଜାମ ଭଞ୍ଜନଗର ଆସନରୁ ବିଧାୟକ ଅଛନ୍ତି ବିକ୍ରମ । 2008ରୁ 2009 ଯାଏଁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ ।