ଭୁବନେଶ୍ବର:ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ଏ ନେଇ ଚଳଚଞ୍ଚଳ ରାଜଧାନୀର ରାକ୍ଷୀ ବଜାର । ଦୋକାନଗୁଡ଼ିକରେ ଜମିଛି ଗ୍ରାହକଙ୍କ ଭିଡ଼ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ରାକ୍ଷୀ କିଣିନେଉଛନ୍ତି । ଷ୍ଟୋନ ରାକ୍ଷୀର ଚାହିଦା ବିଶେଷ ଭାବେ ରହିଥିବା ବେଳେ ଏଥର ଗଣେଶ ଓ ଗୋଲାପର ରାକ୍ଷୀ ବେଶ ପସନ୍ଦ ଆସୁଛି । ସେପଟେ କୁନି ପିଲାଙ୍କ ପ୍ରଥମ ପସନ୍ଦ ପାଲଟିଛି କାର୍ଟୁନ ରାକ୍ଷୀ ।
ନୂଆ ନୂଆ ରାକ୍ଷୀ ମଧ୍ୟରେ ପୁରୁଣା ଡିଜାଇନର ତୁଳା ରାକ୍ଷୀ, ଜରିସୂତା ରାକ୍ଷୀ ଏବେ ବି ବିକ୍ରି ହେଉଛି । କୁନି କୁନି ପିଲାମାନେ ମୋଟୁ ପତଲୁ, ଡୋରେ ମନ, ଛୋଟାଭିମ, କଣ୍ଢେଇ ଲାଇଟ ଓ ଘଣ୍ଟାର ରାକ୍ଷୀକୁ ବେଶ ପସନ୍ଦ କରୁଛନ୍ତି । ଏଥର ବଜାରରେ ଦେଖିବାକୁ ମିଳିଛି ବ୍ୟବସାୟରେ ରାକ୍ଷୀ ଅଫର । ରାକ୍ଷୀର ମୂଲ୍ୟ ୧୦ ଟଙ୍କାରୁ ନେଇ ୫୦୦ ତାଙ୍କ ଯାଏଁ ରହିଥିବା ବେଳେ ୫୯ ଟଙ୍କାରୁ ଆରମ୍ଭ କରି ୫୦୦ ତାଙ୍କର ରାକ୍ଷୀର ଥାଳି ମିଳୁଛି । ତେଣୁ ଏଥର ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।
ଏହା ବି ପଢନ୍ତୁ- ବଦଳିଛି ରାକ୍ଷୀ ଟ୍ରେଣ୍ଡ: ବଢୁଛି ଇକୋ ଫ୍ରେଣ୍ଡଲି ରାକ୍ଷୀର ଚାହିଦା, ମହିଳାଙ୍କୁ ଦେଇଛି ରୋଜଗାର
ହିନ୍ଦୁ ପରମ୍ପରାର ଏହି ପର୍ବକୁ ନେଇ ମିଠାପିଠାଠାରୁ ଆରମ୍ଭ କରି ବିଭିନ୍ନ ବ୍ୟଞ୍ଜନ ଘରେ ତିଆରି ହୋଇଥିବା ବେଳେ ଭଉଣୀଟିଏ ପ୍ରୀତିର ରାକ୍ଷୀ ଭାଇ ହାତରେ ବାନ୍ଧିଥାଏ । ଫୁଲ ଚନ୍ଦନ ଦେଇ ପିଠା ଓ ମିଠା ଖୁଆଇ ଭାଇକୁ ବନ୍ଦାପନା କରି ରାକ୍ଷୀ ବାନ୍ଧିଥାଏ । ରାକ୍ଷୀ ପୂର୍ଣ୍ଣିମାକୁ ନେଇ ଜଣେ ରାଜଧାନୀବାସୀ କହିଛନ୍ତି, " ଆଧୁନିକତାର ଛାପରେ ଯଦିଓ ଆମେ ଆମ ପରମ୍ପରାକୁ ଭୁଲିଗଲୁଣି ତଥାପି ଏଭଳି ପର୍ବ ଆସିଲେ ପୁଣି ଆମେ ଏକାଠି ହୋଇ ଥାଉ । ଖୁସିର ପର୍ବକୁ ମନାଇ ଭାଇ ଭଉଣୀର ଅତୁଟ ପ୍ରେମର ଏ ବନ୍ଧନର ଦିବସକୁ ପାଳନ କରୁ ।"