ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଧର୍ମ ବିହାରରେ ଅତ୍ୟାଧୁନିକ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ଲୋକାର୍ପିତ କରିଛନ୍ତି । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏପରି ଏକ ଶବଦାହ ଗୃହ ଉଦଘାଟନ ହୋଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ରହିଥିଲେ । ହେଲେ ଏହି କାର୍ଯ୍ୟକ୍ରମକୁ ଆସିନଥିଲେ ବିଏମ୍ସିର ମେୟର କିମ୍ବା ରାଜ୍ୟ ସରକାରଙ୍କର କୌଣସି ପ୍ରତିନିଧି । ଯାହାକୁ ନେଇ ରାଜ୍ୟ ସରକାର ଓ ବିଏମ୍ସି ମେୟରଙ୍କୁ ଟାର୍ଗେଟ୍ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିକାଶର କୌଣସି ଦଳ ନଥାଏ ଏବଂ ବିକାଶମୂଳକ କାର୍ଯ୍ୟରେ ରାଜନୀତି ହୁଏନି ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ।
ସାଂସଦ କହିଛନ୍ତି, "ଏହି କାର୍ଯ୍ୟକ୍ରମକୁ ମେୟର କିମ୍ବା ରାଜ୍ୟ ସରକାରଙ୍କର କୌଣସି ପ୍ରତିନିଧି ନଆସିବା ଆଶ୍ଚର୍ଯ୍ୟଜନକ । ରାଜ୍ୟ ସରକାର ଏବଂ ବିଏମ୍ସିକୁ ନିମନ୍ତ୍ରଣ କରାଯାଇଥିଲା । ରାଜ୍ୟ ସରକାରଙ୍କ ଏହା କେଉଁ ପ୍ରକାରର ବିବେକ ? ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ ଭଲ କାମ କରିବା ପାଇଁ ଚାହୁଁଛନ୍ତି । ଏତେ ବଡ଼ କାମ କରାଯାଉଛି । ୫ କୋଟି ଟଙ୍କାର କାର୍ଯ୍ୟକ୍ରମ, କିନ୍ତୁ ବିଏମ୍ସି ମେୟର ଅବା ରାଜ୍ୟ ସରକାରଙ୍କ ତରଫରୁ ଚାବି ନେବାକୁ କେହି ଆସିଲେ ନାହିଁ । ବିଏମ୍ସିର ଏଭଳି ଆଚରଣ ଆଜି ମୋତେ ଆଶ୍ଚର୍ଯ୍ୟ କରିଛି । ମେୟର କିମ୍ବା ରାଜ୍ୟ ସରକାରଙ୍କ ଜଣେ ପ୍ରତିନିଧି ଆସି ଏଠାରୁ ଶବଦାହ ଗୃହର ଚାବି ନେଇଥାଆନ୍ତେ । ହେଲେ କେହି ନସିବା ଅତ୍ୟନ୍ତ ଦୁଃଖର କଥା । ଶବଦାହ ଗୃହ ଭୁବନେଶ୍ବରବାସୀଙ୍କ ପାଇଁ । ବିଏମ୍ସିର ଏହା ଦାୟିତ୍ବ । ହେଲେ କେହି ନଆସିବା ଅତ୍ୟନ୍ତ ଦୁଃଖଦାୟକ । ରାଜ୍ୟ ସରକାରଙ୍କ ଏଭଳି ଆଚରଣ ଠିକ୍ ନୁହେଁ । ସମସ୍ତେ ଆତ୍ମ ସମୀକ୍ଷା କରିବାର ଆବଶ୍ୟକତା ରହିଛି ।" ତେବେ ବିଏମ୍ସି ଦାୟିତ୍ବ ନନେଲେ ମଧ୍ୟ ମୋ ସହ କର୍ମୀମାନେ ଅଛନ୍ତି ଏବଂ ଆମେ ଏହାକୁ ନିଶ୍ଚିତ ଭାବେ ଚଲାଇବୁ ବୋଲି ସାଂସଦ କହିଛନ୍ତି ।