ଭୁବନେଶ୍ବର:ମହଙ୍ଗା ପଡିଲା ଅନ୍ୟ ଜମିରେ ଜବରଦଖଲ । ପର ଜମିରେ ପଶି ଗଣ୍ଡଗୋଳ କରି ଧମକାଇବା ଭାରି ପଡ଼ିଛି । ଯାହାକୁ ନେଇ ଭୁବନେଶ୍ଵର ରଘୁନାଥପୁର ୨ଜଣଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏନେଇ ଗତକାଲି(ମଙ୍ଗଳବାର) ଭୁବନେଶ୍ବର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ JMFC(O)କୋର୍ଟ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ଏହି ରାୟକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।
ଘଟଣାରେ ନନ୍ଦନକାନନ ଥାନା ଅଞ୍ଚଳର ରଘୁନାଥପୁର ୨ ଭାଇ ସମ୍ବିତ ପଟ୍ଟନାୟକ ଓ ଅମିତ ପଟ୍ଟନାୟକଙ୍କୁ ପ୍ରତ୍ୟେକଙ୍କୁ ୨ମାସ ଜେଲ ଦଣ୍ଡ ସହ ୧୫୦ ଟଙ୍କା ଜୋରିମାନା ପାଇଁ ରାୟ ଦେଇଛନ୍ତି । ୧୫୦ଟଙ୍କା ନଦେଲେ ଆହୁରି ୧୫ଦିନ ଜେଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ ସରକାରୀ ଚାକିରି ଥିବା ସମୟରେ ସରୋଜ ପଟ୍ଟନାୟକ ଓ ଜ୍ୟୋତିଷ ପଟ୍ଟନାୟକ ଭୁବନେଶ୍ବର ଉପକଣ୍ଠ ନନ୍ଦନକାନନ ଥାନା ରଘୁନାଥପୁରରେ ଏକ ଜମି କିଣିଥିଲେ । ଅବସର ନେବା ପରେ ସେଠାରେ ଘର ତିଆରି ପାଇଁ ଜାଗା ଉପରକୁ ଯିବା ବେଳେ ଜାଣିବାକୁ ପାଇଥିଲେ କିଛି ସ୍ଥାନୀୟ ବାସିନ୍ଦା ଜାଗା ଉପରେ ଜବର ଦଖଲ କରିବାକୁ ସେଠାରେ ପୁରାଇ ଦେଉନାହାନ୍ତି ।
ତେବେ ଏନେଇ ସେ ସିଭିଲ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟ ଏନେଇ ଅନ୍ତରୀଣ ଭାବେ ଜମି ମାପ କରି ସେଠାରେ ବାଡ଼ ବୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଗତ ୨୦୧୯ ଫେବୃଆରୀ ୨୨ତାରିଖରେ ବାଡ଼ କରିବାକୁ ୨ ଜଣ ଶ୍ରମିକ ନେଇ ପହଞ୍ଚିବା ପରେ ସେଠାରେ ରଘୁନାଥପୁରର ୨ ଭାଇ ଅମିତ ଓ ସମ୍ବିତ ପଟ୍ଟନାୟକ ତାଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ଦେଶ୍ୟରେ ବାଉଁଶ ଧରି ଭୟଭୀତ କରାଇଥିଲେ । ଏନେଇ ନିଜ ଜମିରେ ନିଜେ ପଶିବାକୁ ଭୟ ସହ ଜବରଦଖଲକାରୀଙ୍କ ଏପରି ଆତଙ୍କ ନେଇ ନନ୍ଦନକାନନ ଥାନରେ ଅଭିଯୋଗ କରିଥିଲେ। ଶେଷରେ ଏନେଇ କୋର୍ଟରେ ଦୁଇ ଭାଇଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପରେ ତ୍ବରିତ ବିଚାର ପ୍ରକ୍ରିୟା ହୋଇଥିଲା ।