ଭୁବନେଶ୍ୱର:କ୍ୟାପିଟାଲ୍ ହସ୍ପିଟାଲରେ ଉତ୍ତେଜନା । ଥାଲାସେମିଆ ରୋଗୀଙ୍କୁ ରକ୍ତ ମିଳୁନଥିବା ଅଭିଯୋଗ । ଏନେଇ ହସ୍ପିଟାଲର ବାରଣ୍ଡାରେ ଥାଲାସେମିଆ ରୋଗୀ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଥାଲାସେମିଆ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳୁନାହିଁ । ଏହାକୁ ବିରୋଧ କରି ଶନିବାର ପୂର୍ବାହ୍ନରେ ବହୁ ସଂଖ୍ୟାରେ ଥାଲାସେମିଆ ରୋଗୀ ଧାରଣା ଦେଇଥିଲେ । ଏହି ଅବସରରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ବୁଝାସୁଝା କରିବା ସହିତ ଏ ଦିଗରେ ଏକ ବୈଠକ କରି ପଦକ୍ଷେପ ଗ୍ରହଣ କରିବେ କହିଥିଲେ । କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘ ଦିନ ଧରି ଥାଲାସେମିଆ ରୋଗୀଙ୍କୁ ଶଯ୍ୟା ମିଳୁନଥିବା ବେଳେ ଓ ପରୀକ୍ଷା ମଧ୍ୟ ହୋଇ ପାରୁନାହିଁ ।
ଏହାକୁ ନେଇ ଅଭିଯୋଗ କରିଛନ୍ତି ଥାଲାସେମିଆ ରୋଗୀ । ହସ୍ପିଟାଲରେ ଧାରଣା ଦେଇଥିବା ରୋଗୀଙ୍କ କହିବା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ୨୦ଟି ଶଯ୍ୟା ଥିଲା । ଏହାକୁ ଏବେ ୧୩ରେ ସୀମିତ ରଖିଛନ୍ତି । ଏହାଦ୍ବାରା ବହୁ ସଂଖ୍ୟାରେ ରୋଗୀ ଅପେକ୍ଷା କରିବା ସହିତ ହସ୍ପିଟାଲରେ ଭର୍ତ୍ତି ହୋଇନପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ଦିଗରେ କର୍ତ୍ତୃପକ୍ଷ ତୁରନ୍ତ ବିଚାର କରିବାକୁ ରୋଗୀମାନେ ଦାବି କରିଛନ୍ତି । ଏହି ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା କୌଣସି ଏକ କାର୍ଯ୍ୟରେ ହସ୍ପିଟାଲ ଆସିଥିବାବେଳେ ତାଙ୍କୁ ନିଜ ଅସୁବିଧା ସମ୍ପର୍କରେ ରୋଗୀମାନେ ଜଣାଇଥିଲେ ।