ଭୁବନେଶ୍ବର: ଇସ୍ରୋର ଚନ୍ଦ୍ରଯାନ ୩ ମିଶନ ଅଭିଯାନ ସଫଳ ହେଇଛି । ଏବେ ସମସ୍ତଙ୍କର ନଜର ରହିଛି ଇସ୍ରୋର ଆଗାମୀ ମିଶନ ଉପରେ । ସଫଳ ଚନ୍ଦ୍ରଯାନ ମିଶନ ପରେ ଇସ୍ରୋ କେଉଁ ମିଶନ୍ ଆରମ୍ଭ କରିବ ତାକୁ ନେଇ ଏବେ ଚର୍ଚ୍ଚା ବଢିଥିବା ବେଳେ ଆଗାମୀ ଦିନରେ ଇସ୍ରୋର ଗଗନାୟନ ମିଶନ୍ ଏବଂ ସୂର୍ଯ୍ୟ ମିଶନର ପକ୍ରିୟା ଆରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ଵର ସ୍ଥିତ CTTCରୁ ଆରମ୍ଭ ହେଲାଣି ଯନ୍ତ୍ରାଂଶ ପ୍ରସ୍ତୁତି ପକ୍ରିୟା । ଆସନ୍ତା ୨୦୨୫ ବେଳକୁ ପ୍ରଥମ ମ୍ୟାନ ମିଶନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ସିଟିଟିସି ଗଗନାୟନ ମିଶନ ଲାଗି ୮୦ ପ୍ରତିଶତ ଯନ୍ତ୍ରାଂଶ ଇସ୍ରୋକୁ ଡେଲିଭରି କରିସାରିଥିବା ଜଣାପଡ଼ିଛି ।
ଗଗନାୟନ ପାଇଁ ସିଟିଟିସିକୁ ମିଳିଛି ଅର୍ଡର:-ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫଳ ଅବତରଣ ପରେ ସାରା ଭାରତରେ ଏବେ ଖୁସିର ମାହୋଲ । ନିଜ ହାତରେ ଚନ୍ଦ୍ରଯାନ-୩ ପାଇଁ କ୍ରିଟିକାଲ କମ୍ପୋନେଣ୍ଟ ତିଆରି କରିଥିବା ଭୁବନେଶ୍ବର ସିଟିଟିସି କେନ୍ଦ୍ର କର୍ମଚାରୀ ମଧ୍ୟ କରିଛନ୍ତି ସେଲିବ୍ରେସନ । ସଫଳତା ଯୋଗାଇଛି ପ୍ରେରଣା ଓ ଉତ୍ସାହ । ଚନ୍ଦ୍ରଯାନ-୩ ବିରଳ ଯନ୍ତ୍ରାଂଶ ନିର୍ମାଣ କରି ଚର୍ଚ୍ଚାରେ ଥିବା ଭୁବନେଶ୍ବର ସିଟିଟିସି ଏବେ ମିଶନ ଗଗନାୟନ ପାଇଁ ବିରଳ ଯନ୍ତ୍ରାଂଶ ତିଆରି କରୁଛି । ଗଗନାୟନ ମିଶନ ପାଇଁ ଭୁବନେଶ୍ବର ସିଟିଟିସିକୁ ମଳିଛି ଆଉ ଏକ ଗୁରୁ ଦାୟିତ୍ଵ । ମିଶନ ଗଗନାୟନ ପାଇଁ ଇସ୍ରୋ ପକ୍ଷରୁ ସିଟିଟିସିକୁ ଯନ୍ତ୍ରାଂଶ ନିର୍ମାଣ ଅର୍ଡର ଦିଆଯାଇଛି । ଇସ୍ରୋ ପକ୍ଷରୁ ମିଳିଥିବା ଅର୍ଡରର ୮୦ ପ୍ରତିଶତ କମ୍ପୋନେଣ୍ଟ ତିଆରି କରି ଇସ୍ରୋକୁ ଡେଲିଭରି କରି ଦିଆଯାଇଛି । ଆଉ ୨୦ ପ୍ରତିଶତ କାମ ସମ୍ପୂର୍ଣ୍ଣ କରି ପଠାଯିବାକୁ ଲକ୍ଷ୍ୟ ରଖାଯାଇଛି ।
୨୦୨୫ ବେଳକୁ ପ୍ରଥମ ମ୍ୟାନ ମିଶନ:-ମିଶନ ଗଗନାୟନ ପାଇଁ ଭୁବନେଶ୍ବର ସିଟିଟିସିରେ ଫିଲ ଏଣ୍ଡଡ୍ରେନ ଭଲ୍ବ, ପ୍ରେସର ରେଗୁଲାର କମ୍ପୋନେଣ୍ଟ, ଚେକ ଭଲ୍ବ, ଫିଲଟର ଭେନଟରୀ, ପ୍ରୋପ୍ଲାଣ୍ଟ ଲଞ୍ଚ ଭଳି କମ୍ପୋନେଣ୍ଟ ତିଆରି କରି ପଠାଯାଇଥିବା କହିଛନ୍ତି ଭୁବନେଶ୍ବର ସିଟିଟିସି ଅଧିକାରୀ । ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ କ୍ର୍ୟୁ ମଡ୍ୟୁଲ ଏବଂ କ୍ର୍ୟୁ ଏସକେପ୍ ପ୍ରଦର୍ଶନ ପାଇଁ କାର୍ଯ୍ୟ ଚାଲିଛି । ଯଦି ସବୁ କିଛି ଠିକଠାକ ଚାଲେ ତାହେଲେ ଆସନ୍ତା ୨୦୨୫ ବେଳକୁ ପ୍ରଥମ ମ୍ୟାନ ମିଶନ ପ୍ରେରଣ ପାଇଁ ଇସ୍ରୋ ଯୋଜନା କରୁଛି । ଏହି ମିଶନରେ ମହାକାଶକୁ ଯିବ ମଣିଷ ।
ଅନ୍ୟପଟେ ଖୁବଶୀଘ୍ର ଇସ୍ରୋ ପକ୍ଷରୁ ଗଗନାୟନ ମିଶନ, ମାର୍ସ ଅର୍ବିଟର ମିଶନ-୨, ଶୁକ୍ରାୟନ-୧ ଭଳି ମିଶନ ଆଭିଯାନ ଆରମ୍ଭ କରିବକୁ ଯାଉଛି । ଏନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ । ସୂର୍ଯ୍ୟ ମିଶନ ପାଇଁ ପାଖାପାଖି ୩୭୮ କୋଟି ଖର୍ଚ୍ଚ ହେବାକୁ ଥିବାବେଳେ, ଗଗନାୟନ ମିଶନ ପାଇଁ ପାଖାପାଖି ୯ ହଜାର କୋଟି ଖର୍ଚ୍ଚ ହେଇପାରେ ବୋଲି ଆକଳନ ହୋଇଥିବା ସୂଚନା । ଅନ୍ୟପଟେ ଚନ୍ଦ୍ରଯାନ ୩ ମିଶନ ପରେ ଆଗାମୀ ସୂର୍ଯ୍ୟ ମିଶନ ଲଞ୍ଚ କରିବ ଇସ୍ରୋ । ଏହି ମିଶନର ନାଁ ଆଦିତ୍ୟ-ଏଲ୧ ରଖାଯାଇଛି । ଅନ୍ତରୀକ୍ଷ ଯାନକୁ ପୃଥିବୀଠାରୁ ୧.୫ ମିଲିୟନ୍ ଦୂରରେ ରଖାଯିବ। ଯେଉଁଥିପାଇଁ ମୋଟ ୩୭୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ।