ଖୋର୍ଦ୍ଧା: କାନ୍ଦୁଛି ଘଞ୍ଚ ଜଙ୍ଗଲ ଭରା ବରୁଣେଇ । ସବୁଜ ପରିବେଶ ପୂର୍ଣ୍ଣ ପାହାଡ ଆଜି ଶ୍ମଶାନ ସଦୃଶ । ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲାସିତ ସଂସ୍କୃତି ଓ ଐତିହ୍ୟର ମୂକସାକ୍ଷୀ ଏବେ ଏକା ଏକା । ନା ଶୁଭୁଛି ଶାଗୁଆନିର ସୁ ସୁ ଶବ୍ଦ ନା ଚମକୁଛି ସବୁଜିମାର ସୌନ୍ଦର୍ଯ୍ୟ । ବାତ୍ୟା ‘ଫନି’ ବରୁଣେଇକୁ କରିଦେଇଛି ନିଶବ୍ଦ ଏବଂ ନିର୍ଜିବ ।
କେତେ ବୃକ୍ଷଲତାଙ୍କୁ କୋଳରେ ଧରି ଝଟକୁଥିଲା ବରୁଣେଇ । ହଜାର ହଜାର ଶାଗୁଆନ ଗଛରେ ଥିଲା ପରିପୂର୍ଣ୍ଣ । ଏହାର ସୌନ୍ଦର୍ଯ୍ୟରେ ଅବିଭୂତ ହୋଇଯାଉଥିଲେ ପର୍ଯ୍ୟଟକ । ପାଇକ ଆନ୍ଦୋଳନ ସଂସ୍କୃତି ଓ ଐତିହ୍ୟର ମୂକସାକ୍ଷୀ ଏହି ପାହାଡକୁ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଧାଇଁ ଆସୁଥିଲେ । ଏହାରି କୋଳରେ ବସି କବି ଓ ଲେଖକଙ୍କ କଲମରୁ ପରିବେଶର ସୌନ୍ଦର୍ଯ୍ୟ ଚିତ୍ରିତ ହେଉଥିଲା । ହେଲେ ଏବେ ସବୁ ଖାଁ ଖାଁ । ନା ଶୁଭୁଛି ପକ୍ଷୀଙ୍କ ରାବ ନା ନାଚୁଛି ବଣ ମୟୂର ।