ଖୋର୍ଦ୍ଧା: ବହି ପଢିବା ଆଗ୍ରହ ସହ ସାଇତି ରଖିବା ନିଶା ତାଙ୍କର ପିଲାଟି ବେଳୁ ରହିଛି । ସେଇଥି ପାଇଁ ତ ପିଲାଟି ବେଳୁ ଗାଁ ପାଖରେ ଥିବା ପାଠଗାରକୁ ନିତି ଯାଉଥିଲେ ସେ । ଆଉ ସେଠି ଅହରହ ବିଭିନ୍ନ ବହି ପଢୁଥିଲେ । ପିଲାଟି ଦିନରୁ ବହି ପଢିବା ନିଶା ବର୍ତ୍ତମାନ ତାଙ୍କୁ ଦେଇଛି ଏକ ସ୍ବତନ୍ତ୍ର ପରିଚୟ । ଆଉ ସେହି ନିଶା ପାଇଁ ସେ ଆଜି ନିଜସ୍ବ ଉଦ୍ୟମରେ ନିଜ ଘରେ ଗଢିଛନ୍ତି ମୁଖଶାଳା ନାମରେ ଏକ ପାଠାଗାର । ତାଙ୍କର ଏହି ଉଦ୍ୟମ ପାଇଁ ଗାଁର ପିଲାଙ୍କଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ବହି ଅଜା ବୋଲି ଡାକନ୍ତି । ଏହି ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଆରିକିମା ଗ୍ରାମରେ ବଂଶୀଧର ପଣ୍ଡା ।
ପଢିବା ସହିତ ପଢାଇବାର ଇଚ୍ଛାଶକ୍ତି ହିଁ ପାଠାଗାର ସ୍ଥାପନ କରିବାରୁ ସ୍ବପ୍ନ ଦେଖାଇଥିଲା । ଆଉ ଏହି ସ୍ବପ୍ନ ପୂରଣ କରିବାକୁ ୧୯୯୨ ମସିହାରେ ସେ ଆରମ୍ଭ କରି ଦେଇଥିଲେ ଉଦ୍ୟମ । ବିଭିନ୍ନ ପ୍ରକାରର ବହି ସଂଗ୍ରହ କରି ନିଜ ଘରେ ମୁଖଶାଳା ନାମରେ ଏକ ଛୋଟ ପାଠାଗାର ଟିଏ ଆରମ୍ଭ କରିଥିଲେ । ପାଠାଗାର ସ୍ଥାପନରେ ଜୀବନର ୪୦ ବର୍ଷ ଲଗେଇ ଦେଇଛନ୍ତି ବଂଶୀଧର । ଖାଲି ପାଠପଢା ନୁହେଁ ଲେଖାଲେଖି ମଧ୍ୟ କରନ୍ତି ବଂଶୀଧର ପଣ୍ଡା । ତାଙ୍କ ଦ୍ବାରା ଲିଖିତ କବିତା ଓ ଗଳ୍ପ ପାଠକଙ୍କ ମନକୁ ବେଶ ଛୁଇଁଛି । ବର୍ତ୍ତମାନ ତାଙ୍କ ପାଠାଗାରରେ ପ୍ରାୟ ୧୦ ହଜାରରୁ ଅଧିକ ବହି ରହିଛି । ସବୁଠୁ ବଡ କଥା ହେଲା ପାଠକଙ୍କ ରୁଚି ଅନୁସାରେ ତାଙ୍କ ପାଠାଗାରରେ ବହି ଉପଲବ୍ଧ ରହିଛି । ଟିକିଏ ଅବସର ମିଳିଲେ ତାଙ୍କ ପାଠାଗାରକୁ ଛୁଟିଥାନ୍ତି ଗାଁର ପାଠକ ।