ଖୋର୍ଦ୍ଧା:ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦରେ ହଜାର ହଜାର ମାଇଲ ଅତିକ୍ରମ କରି ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି (annual bird census begins in chilika) । ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି ଯାହା ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀଗଣନା କରାଯାଉଥିବା ବେଳେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି ।
ତେବେ ଟାଙ୍ଗି ଜୋନରେ ୮ଟି, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ ଚିଲିକାରେ ଗୋଟିଏ ଟିମ ନିୟୋଜିତ ରହିଛନ୍ତି । ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର ବ୍ୟବହାର କରାଯାଉଛି । ପକ୍ଷୀ ଗଣନା ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହୋଇଛନ୍ତି । ତେବେ ଏହି ପକ୍ଷୀ ଗଣନା ପାଇଁ ଗତକାଲି(ମଙ୍ଗଳବାର) ବଡକୁଳ ସ୍ଥିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଆର୍ଦ୍ରଭୂମି ପରୀକ୍ଷଣ କେନ୍ଦ୍ର ପରିସରରେ ପକ୍ଷୀ ବିଶେଷଜ୍ଞମାନେ ଗଣନକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ସାତପଡା ବନବିଭାଗ କାର୍ଯ୍ୟାଳୟରେ ମଧ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।