ଖୋର୍ଦ୍ଧା:ଜନ୍ମକଲା ସନ୍ତାନକୁ ଛାଡି ପ୍ରେମିକ ସହ ମା’ ଫେରାର ହୋଇଯାଇଥିବା ଅଭିଯୋଗ । ସହକର୍ମୀ ପାଖରେ ତିନି ମାସର ଶିଶୁକନ୍ୟାକୁ ଛାଡ଼ି ମା’ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ସହକର୍ମୀ ସଞ୍ଜୁଲତା ସିଂ । ସେପଟେ ପରିବାର ଲୋକେ ଶିଶୁକନ୍ୟାଟିକୁ ଘରକୁ ନେବାକୁ ନାରାଜ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ । ମଙ୍ଗଳବାର ଅପରାହ୍ନରେ ଅଙ୍ଗନବାଡି କର୍ମୀ ରୋଜାଲିନ ସେଠି ବୋଲଗଡ଼ ବସଷ୍ଟାଣ୍ଡ ନିକଟରେ ତାଙ୍କ ସହକର୍ମୀ ସଞ୍ଜୁଲତା ସିଂଙ୍କୁ ନିଜ ଶିଶୁକନ୍ୟା ସହ ମୋବାଇଲ ଦେଇ ସମ୍ପର୍କୀୟଙ୍କ ନିକଟରୁ ଆସୁଛି କହି ଆଉ ଫେରିନାହାନ୍ତି । ଏବେ ସଞ୍ଜୁଲତା ଶିଶୁକନ୍ୟାକୁ ଧରି ବୋଲଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରିବା ସହ ସିଡବ୍ଲୁସିକୁ ଶିଶୁକନ୍ୟାକୁ ହସ୍ତାନ୍ତର କରିଛି ।
ରୋଜାଲିନଙ୍କ ସହକର୍ମୀ ସଞ୍ଜୁଲତା ସିଂ କହିଛନ୍ତି,‘‘ଆମେ ଏକ ସରକାରୀ କାର୍ଯ୍ୟକ୍ରମରେ ବୋଲଗଡ଼ ଯାଇଥିଲୁ । ହେଲେ ସେଠାରେ ସେ ସେହି କାର୍ଯ୍ୟକ୍ରମରେ ଯୋଗ ନଦେଇ ତାର ସମ୍ପର୍କୀୟଙ୍କ ଦେହ ଭଲ ନଥିବା କହି ତାଙ୍କୁ ଦେଖା କରିବାକୁ ଯାଇଥିଲେ । ମତେ ସମ୍ପର୍କୀୟଙ୍କୁ ଦେଖା କରିବାକୁ କହି ଶିଶୁକନ୍ୟା ଓ ଫୋନକୁ ଦେଇଦେଇ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ବିତିଗଲେ ମଧ୍ୟ ରୋଜାଲିନ ଆଉ ଫେରି ନଥିଲେ । ଶିଶୁକନ୍ୟାକୁ ଧରି ମୁଁ ଘରକୁ ଆସିଥିଲେ । ପରେ ସମସ୍ତ କଥା ରୋଜାଲିନଙ୍କ ଶାଶୁକୁ କହିଥିଲି । ରୋଜାଲୀନଙ୍କ ଶାଶୁଙ୍କୁ ଶିଶୁକୁ ଦେବା ପାଇଁ ଚେଷ୍ଟା କରିଥିଲି । ହେଲେ ସେ ମୋଠାରୁ ଝିଅକୁ ନେଇ ନଥିଲେ । ଛୁଆକୁ ନେବାକୁ ସେ ନାରାଜ ହେବା ପରେ ଏହାକୁ ନେଇ ମଧ୍ୟ ଥାନାରେ ଏତଲା ଦେଇଛି ।’’