ଭୁବନେଶ୍ବର :ଆଗାମୀ୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଶ୍ବକପ୍ ହକି ୨୦୨୩ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବିଶ୍ବକପ ହକି ପ୍ରସ୍ତୁତିରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଭାରତ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ବିଶ୍ଵକପ ହକିର ଆୟୋଜନରେ କେବଳ ଓଡ଼ିଶା ନୁହେଁ ସାରା ଦେଶର ସମ୍ମାନ ସହ ଜଡିତ । ସେଥିପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଲଗାତର ଭାବେ ଦ୍ବିତୀୟ ଥର ବିଶ୍ବକପ୍ର ଆୟୋଜନ ସାରା ବିଶ୍ବରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି କରିଛି ବୋଲି ମତ ଦେଇଛନ୍ତି ।
କ୍ରୀଡାର ଏହି ଉନ୍ନତି ଦିଗରେ ସରକାରଙ୍କ ଉଦ୍ୟମ ପାଇଁ ସାଧୁବାଦ ଜଣାଇଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କର ପ୍ରଶଂସା କରିଛନ୍ତି । ଏହାସହ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଉତ୍ସବ ୨୦୩୬ ଅବସରରେ ଯେପରି ଓଡିଶାରୁ ୧୦୦ ଅଲମ୍ପିଆନ ବାହାରିପାରିବେ, ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ବୋଲି ମତପ୍ରକାଶ କରିଛନ୍ତି ।
ଏତଦ୍ବ୍ୟତୀତ କ୍ରମାଗତ ଭାବେ ଦୁଇ ଥର ବିଶ୍ବକପ୍ ହକି ଆୟୋଜନ ଭଳି ବିରଳ ଘଟଣାକୁ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦେବା, ଉଭୟ ଭୁବନେଶ୍ବର-ରାଉରକେଲାର ସ୍ବଚ୍ଛତା ପାଇଁ ନାଗରିକମାନଙ୍କୁ ସାମିଲ କରିବା, ସ୍ଥାନୀୟ ଓଡିଆ ଖେଳର ପ୍ରସାର କରିବା, ରାଉରକେଲା-ଭୁବନେଶ୍ବର ରେଳପଥକୁ ହକି ପାଇଁ ବ୍ରାଣ୍ଡିଂ କରିବା ଆଦି ବିଭିନ୍ନ ସୁଚିନ୍ତିତ ମତାମତ ଦେଇ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ରାଜ୍ୟର ସବୁ ଜିଲ୍ଲାରେ ହକି ଷ୍ଟାଡିୟମ ନିର୍ମାଣ କରିବା ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରସ୍ତାବ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ଦଳର ଉପସଭାପତି ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ବିଶ୍ୱକପ ହକି ପ୍ରସ୍ତୁତିରେ କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳ ସନ୍ତୁଷ୍ଟ ।