ଭୁବନେଶ୍ବର: ରାଜ୍ୟର ଚାଷୀଙ୍କ ହିତ ଦୃଷ୍ଟିରୁ ଖରିଫ ୨୦୨୩ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଫସଲ ବୀମା ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି । ଚଳିତ ଖରିଫ ପାଇଁ ଆସନ୍ତା ଜୁଲାଇ ୩୧କୁ ସମୟ ସୀମା ଭାବେ ଧାର୍ଯ୍ୟ କରାଯାଇଛି । ତେଣୁ ଏ ଦିଗରେ ତ୍ବରିତ ପଦକ୍ଷେପ ନେବା ପାଇଁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।
୨୦୧୬ ମସିହାରୁ ଓଡ଼ିଶା ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ହେଲେ କ୍ଷତିଗ୍ରସ୍ତ କୃଷକଙ୍କୁ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯାଇଛି । ଚଳିତ ଖରିଫ ଋତୁରେ ଧାନ, ମକା, କପା, ମାଣ୍ଡିଆ, ହରଡ଼, ଅଦା, ହଳଦୀ ଓ ଚିନାବାଦାମ ଆଦି ୮ଟି ଫସଲକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଖାଦ୍ୟଶସ୍ୟ ଓ ତୈଳବୀଜ ଫସଲ ପାଇଁ ମୋଟ ବୀମା ପରିମାଣର ୨ ପ୍ରତିଶତ ପ୍ରିମିୟମ ଆକାରରେ ପ୍ରଦାନ କରାଯାଇଥାଏ । କପା, ହଳଦୀ, ଅଦା ଆଦି ବ୍ୟବସାୟିକ ଫସଲ ପାଇଁ ଏହି ପ୍ରିମିୟମ ମୋଟ ବୀମା ରାଶିର ୫ ପ୍ରତିଶତ । ଅବଶିଷ୍ଟ ପ୍ରକୃତ ପ୍ରିମିୟମକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦:୫୦ ଅନୁପାତରେ ବହନ କରିଥା'ନ୍ତି ।
ଫସଲବୀମା ଯୋଜନା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ବିଗତ ୩ଟି ଋତୁର ବୀମାଭୁକ୍ତ କୃଷକଙ୍କ ସଂଖ୍ୟାକୁ ବିବେଚନା କରି ବ୍ଲକ ଓ ପଞ୍ଚାୟତୱାରୀ ବୀମାର ଧାର୍ଯ୍ୟ ଲକ୍ଷ୍ୟ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏହାସହ କୃଷି ଓ କୃଷକ ସଶକ୍ତିକରଣ, ସମବାୟ ଓ ଅନ୍ୟ ସଂପୃକ୍ତ ବିଭାଗର ଅଧିକାରୀଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ପାଇଁ କୁହାଯାଇଛି । ଖରିଫ ୨୦୨୩ରେ ବିଜ୍ଞାପିତ ଫସଲ ପାଇଁ ଋଣ ଗ୍ରହଣ କରିଥିବା ଚାଷୀଙ୍କ ବୀମା କରିବା ପାଇଁ ଉଭୟ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବା ପାଇଁ କୁହାଯାଇଛି । ଏଥିପାଇଁ ଫସଲ ବୀମା କମ୍ପାନୀଗୁଡ଼ିକ ପକ୍ଷରୁ ଗ୍ରାମପଞ୍ଚାୟତସ୍ତରରେ ପ୍ରଚାର ପ୍ରସାର ଉପରେ ଗୁରୁତ୍ବାରୋପ କରାଯାଇଛି । ପ୍ରତ୍ୟେକ ଦିନର ବୀମାର ଅଗ୍ରଗତି ରିପୋର୍ଟ ଅପଲୋଡ କରିବା ସହିତ ସମୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି । ଶେଷ ଦିନରେ ଫସଲ ବୀମା ପାଇଁ ବ୍ୟାଙ୍କ ଓ ଜନସେବା କେନ୍ଦ୍ରରେ ଭିଡରୁ ରକ୍ଷା ପାଇବା ପାଇଁ ପୂର୍ବରୁ ଫସଲବୀମା କରାଇ ନେବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।