ଭୁବନେଶ୍ବର:କୃଷି ଭବନରେ ଆୟୋଜିତ ହୋଇଯାଇଛି ଚଳିତ ବର୍ଷର କୃଷି ଯନ୍ତ୍ରପାତି ମେଳା ଆୟୋଜନ ସଂପର୍କରେ ବୈଠକ । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରର କୃଷି ଯନ୍ତ୍ରପାତି ନିର୍ମାତା ଏବଂ ବିକ୍ରେତାମାନେ ଯୋଗ ଦେଇଥିଲେ । କୃଷି ଯନ୍ତ୍ରପାତି ଓ ଉପକରଣ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରଦାନ କରୁଥିବା ରିହାତି ବ୍ୟବସ୍ଥାକୁ ଅଧିକ ସରଳୀକରଣ ଓ ବ୍ୟବସ୍ଥିତ କରାଯିବା ସହ ଚଳିତ ବର୍ଷ କୃଷି ଯନ୍ତ୍ରପାତି ମେଳାକୁ ଉପଖଣ୍ଡ ସ୍ତରରେ ମଧ୍ୟ ଆୟୋଜନ କରାଯିବ ବୋଲି କହିଥିଲେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।।
କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ରିହାତି ପ୍ରଦାନରେ ଅନିୟମିତତା ଓ ଅହେତୁକ ବିଳମ୍ବ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୨୦୨୩-୨୪ ବର୍ଷରେ ରାଜ୍ୟରେ ୭୦ ହଜାର କୃଷି ଯନ୍ତ୍ରପାତି ଓ ଉପକରଣ ଯୋଗାଣ ପାଇଁ ବିଭାଗ ପକ୍ଷରୁ ୪୫୦ କୋଟି ଟଙ୍କାର ସରକାରୀ ରିହାତି ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଦ୍ୟାବଧି ୨୪,୬୯୩ ଗୋଟି ଯନ୍ତ୍ରପାତିର ରିହାତି ବାବଦକୁ ହିତାଧିକାରୀଙ୍କୁ ୧୫୧.୨୦୧ କୋଟି ଟଙ୍କା ପ୍ରଦାନ କରାଯାଇଛି ।
''ବିଭିନ୍ନ ବ୍ୟାଙ୍କ ଓ ଋଣ ପ୍ରଦାନକାରୀ ସଂସ୍ଥାରୁ ସହଜରେ କୃଷି ଋଣ କରି ଯନ୍ତ୍ରପାତି କ୍ରୟ ନିମନ୍ତେ ଚାଷୀମାନଙ୍କ ପାଇଁ ସଫଳ ଆପ ପ୍ରଚଳନ କରାଯାଇଛି । ଅନୁମୋଦିତ କୃଷି ଯନ୍ତ୍ରପାତି ନିମନ୍ତେ ସରକାର ବର୍ଗାନୁକ୍ରମେ ଶତକଡ଼ା ୪୦ରୁ ୬୦ ଭାଗ ରିହାତି ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଶତକଡ଼ା ୭୫ ଭାଗ ରିହାତି ପ୍ରଦାନ କରାଯାଉଛି । ପ୍ରାପ୍ୟ ରିହାତି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି । କୃଷି କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରିତାକୁ ଲକ୍ଷ୍ୟ ରଖି କୃଷିଜୀବୀ ମହିଳା ଉପଯୋଗୀ କୃଷି ଯନ୍ତ୍ରପାତି ଉଦ୍ଭାବନ ଓ ବ୍ୟବହାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏଥି ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଯେପରି କୃଷି ଯନ୍ତ୍ରପାତି ସହଜରେ ବ୍ୟବହାର କରିପାରିବେ ସେଥି ନିମନ୍ତେ ସେମାନଙ୍କ ବ୍ୟବହାର ଉପଯୋଗୀ କୃଷି ଯନ୍ତ୍ରପାତି ଓ ଉପକରଣ ଉପରେ ପ୍ରାଧାନ୍ୟ ଦେବାକୁ ମନ୍ତ୍ରୀ କହିଛନ୍ତି ।''