ଓଡିଶା

odisha

By

Published : Apr 29, 2023, 8:53 AM IST

ETV Bharat / state

୨୦୨୩-୨୪ରେ ଏକ ହଜାର କୋଟି କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ: କୃଷି ସଚିବ

କୃଷି ଭବନରେ କୃଷି ଯନ୍ତ୍ରପାତି,ଉପକରଣ ଓ ଯନ୍ତ୍ରାଂଶ ନିର୍ମାତାମାନଙ୍କ ବୈଠକ। ରାଜ୍ୟରେ କୃଷି ଯାନ୍ତ୍ରିକୀକରଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଥିବା କହିଲେ କୃଷି ସଚିବ। ଅଧିକ ପଢନ୍ତୁ

Agricultural Machinery and Equipment Manufacturers Meeting
Agricultural Machinery and Equipment Manufacturers Meeting

ଭୁବନେଶ୍ବର: ଶୁକ୍ରବାର କୃଷି ଭବନରେ ଅନୁଷ୍ଠିତ ହୋଇଯାଇଛି କୃଷି ଯନ୍ତ୍ରପାତି,ଉପକରଣ ଓ ଯନ୍ତ୍ରାଂଶ ନିର୍ମାତାମାନଙ୍କ ବୈଠକ । ରାଜ୍ୟରେ କୃଷି ଯାନ୍ତ୍ରିକୀକରଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିବା ସହ ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଯନ୍ତ୍ରପାତି ବିକ୍ରି ୮୦୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।

କୃଷି ସଚିବ କହିଛନ୍ତି ଯେ, ''ରାଜ୍ୟର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବା ନିମନ୍ତେ ବିଭାଗ ପକ୍ଷରୁ କେତେ ଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଫସଲ ବିବିଧିକରଣ କରାଯାଇ ଅଧିକରୁ ଅଧିକ ଅଣଧାନ ଫସଲ ଚାଷ କରି କୃଷକମାନଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଦ୍ୱିତୀୟରେ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଯନ୍ତ୍ରପାତିର ବ୍ୟବହାର କରି ମାନବସମ୍ବଳର ସମସ୍ୟାର ସମାଧାନ କରାଯାଇପାରିଛି । ଏଥି ସହିତ ଆନୁସଙ୍ଗିକ କୃଷିରେ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ର ସମେତ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି ।''

''ରାଜ୍ୟରେ କୃଷି ଯନ୍ତ୍ରପାତି ବ୍ୟବହାର ଆଶାନୁରୂପ ବୃଦ୍ଧି ପାଉଛି । ସେ ଦୃଷ୍ଟିରୁ କୃଷି ଯନ୍ତ୍ରପାତି ନିର୍ମାତାମାନେ ଯନ୍ତ୍ରପାତି ବିକ୍ରିବଟା ଦିଗରେ ଯେପରି କୌଣସି ଅସାଧୁ ଉପାୟ ଅବଲମ୍ବନ ନକରନ୍ତି ସେଥି ନିମନ୍ତେ ପ୍ରମୁଖ ଶାସନ ସଚିବ ଚେତାବନୀ ଦେଇଛନ୍ତି । ମାର୍ଗଦର୍ଶିକାକୁ ଠିକ ଭାବରେ ଅନୁପାଳନ କରୁନଥିବା ଫାର୍ମ ଗୁଡ଼ିକ ଉପରେ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥି ସହିତ ଯନ୍ତ୍ରପାତି ନିର୍ମାତାମାନେ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସେମାନେ ଏ ସଂପର୍କରେ ବିଭାଗୀୟ ସଚିବଙ୍କ ସମେତ ପଦାଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ । ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଯନ୍ତ୍ରପାତି ବିକ୍ରି ୮୦୫ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହୋଇଛି । ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ ଏକ ହଜାର କୋଟି ଟଙ୍କାର କୃଷି ଯନ୍ତ୍ରପାତି ବିକ୍ରି ଲକ୍ଷ୍ୟ ରଖାଯାଇଛି ।''

''ସେହିପରି ରାଜ୍ୟରେ କୃଷି ଯନ୍ତ୍ରପାତି ମେଳା ଆୟୋଜନର ସକରାତ୍ମକ ପ୍ରଭାବ ପଡ଼ିଛି ବୋଲି କହିଥିଲେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ । ଆଗାମୀ ଦିନରେ ଏପରି କୃଷି ଯନ୍ତ୍ରପାତି ମେଳା ଆୟୋଜନ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା କଥା ସୂଚାଇଛନ୍ତି । କୃଷକମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତି କିଣିବା ଦିଗରେ ଋଣ ମିଳିବା ଯୋଗାଣ ଦିଗରେ ‘ସଫଲ’ ପୋର୍ଟାଲର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଚୁକ୍ତି ଅନୁଯାୟୀ ଯନ୍ତ୍ରପାତି କାର୍ଯ୍ୟକ୍ଷମ ଓ ବ୍ୟବହାର ଦିଗରେ ନିର୍ମାତାମାନେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି । ''

ସେ ଆହୁରି ମଧ୍ୟ କହିଛନ୍ତି ଯେ,''ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ପ୍ରଗତିଶୀଳ କୃଷକମାନଙ୍କ ସହିତ ଏ ଦିଗରେ ଅଧିକ ସମନ୍ୱୟ ରକ୍ଷା କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି । ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ ସମୁଦାୟ ୨,୧୯,୭୪୯ଟି କୃଷି ଯନ୍ତ୍ରପାତି/ଉପକରଣ ବିକ୍ରି ହୋଇଛି । ଏ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪୧୭.୪୬୪ କୋଟି ଟଙ୍କା ସବସିଡି ଆକାରରେ ପ୍ରଦାନ କରାଯାଇଛି । ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ୪୫,୩୨୪ଟି କୃଷି ଯନ୍ତ୍ରପାତି ଓ ଉପକରଣ ବିକ୍ରି ହୋଇଥିବାବେଳେ ୨୬୨.୯୫୦ କୋଟି ଟଙ୍କା ସବ୍‌ସିଡି ଆକାରରେ ପ୍ରଦାନ କରାଯାଇଛି । ମୋଟ ଉପରେ ରାଜ୍ୟରେ ୨,୬୫,୦୭୩ଟି କୃଷି ଯନ୍ତ୍ରପାତି ଓ ଉପକରଣ ବିକ୍ରି ହୋଇଥିବାବେଳେ ସବସିଡି ଆକାରରେ ମୋଟ ୧୬୮୦.୪୧୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ''

୨୦୧୭ ମସିହା ମାର୍ଚ୍ଚ ମାସରୁ କୃଷି ଯନ୍ତ୍ରପାତି କ୍ରୟରେ କୃଷକମାନଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ସବସିଡି ପ୍ରଦାନ କରାଯାଉଛି । ସଂପ୍ରତି ରାଜ୍ୟରେ ୧୮୬ଟି କାର୍ଯ୍ୟରତ ପଞ୍ଜିକୃତ କୃଷି ଯନ୍ତ୍ରପାତି ନିର୍ମାତା ଏବଂ ୨୨୧୨ଟି ପଞ୍ଜିକୃତ ଡିଲର କୃଷି ଯନ୍ତ୍ରପାତି ବିକ୍ରି କରୁଛନ୍ତି । ସମୁଦାୟ ୩୬ ପ୍ରକାରର କୃଷି ଯନ୍ତ୍ରପାତି ଓ ଉପକରଣ ଚାଷୀମାନଙ୍କୁ ଉପଲବ୍ଧ କରାଯାଉଛି । କୃଷି ଯନ୍ତ୍ରପାତି ବ୍ୟବହାର ଫଳରେ କୃଷି କ୍ଷେତ୍ରରେ ବିଦ୍ୟୁତ ଶକ୍ତିର ବ୍ୟବହାର ବୃଦ୍ଧି ପାଇଛି । ୨୦୨୨ ମସିହା ସୁଦ୍ଧା ଏହା ହେକ୍ଟର ପିଛା ୨.୨୩ କିଲୋୱାଟ ରହିଛି । କୃଷି ଯାନ୍ତ୍ରିକୀକରଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋ-ସୁଗମ ପୋର୍ଟାଲ ପ୍ରଚଳନ କରାଯାଇଛି । ଚାଷୀମାନଙ୍କୁ ଏଥିରେ କୃଷି ଯାନ୍ତ୍ରିକୀକରଣ ନିମନ୍ତେ ଆବଶ୍ୟକୀୟ ସୂଚନା ଉପଲବ୍ଧ କରାଯାଇଛି । ବୈଠକରେ ରାଜ୍ୟର ୧୦୦ରୁ ଊର୍ଦ୍ଧ୍ବ କୃଷି ଯନ୍ତ୍ରପାତି ନିର୍ମାତାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details