ଓଡିଶା

odisha

ETV Bharat / state

କାହିଁକି ହଟିଲେ ରୋହିତ ପୂଜାରୀ, ବିଭାଗୀୟ ଅପରାଗତା ନା ଦଳୀୟ ସଂକଟ ?

ଖରାପ ପ୍ରଦର୍ଶନ ନେଇଗଲା କି ରୋହିତଙ୍କ ମନ୍ତ୍ରୀ ପଦ ? କେଉଁଠି ଭୁଲ କଲେ ରୋହିତ ପୂଜାରୀ ? ସମ୍ବଲପୁର ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରିବା ପଛର ଉଦ୍ଦେଶ୍ୟ କଣ ? କେଉଁ ଆଧାରରେ ରୋହିତଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ ? ଅଧିକ ପଢନ୍ତୁ

କାହିଁକି ହଟିଲେ ରୋହିତ ପୂଜାରୀ, ବିଭାଗୀୟ ଅପରାଗତା ନା ଦଳୀୟ ସଂକଟ?
କାହିଁକି ହଟିଲେ ରୋହିତ ପୂଜାରୀ, ବିଭାଗୀୟ ଅପରାଗତା ନା ଦଳୀୟ ସଂକଟ?

By

Published : Jun 9, 2023, 10:23 PM IST

ଭୁବନେଶ୍ବର: ରୋହିତ ପୂଜାରୀଙ୍କ ପାଇଁ କାଳ ହେଲା କି ଉଚ୍ଚ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ ? ଖରାପ ପ୍ରଦର୍ଶନ ନେଇଗଲା କି ରୋହିତଙ୍କ ମନ୍ତ୍ରୀ ପଦ? କେଉଁଠି ଭୁଲ କଲେ ରୋହିତ ପୂଜାରୀ? ସମ୍ବଲପୁର ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରିବା ପଛର ଉଦ୍ଦେଶ୍ୟ କଣ? କେଉଁ ଆଧାରରେ ରୋହିତଙ୍କୁ ହଟାଇଲେ ମୁଖ୍ୟମନ୍ତ୍ରୀ? ସିଧା ଇସ୍ତଫା ମାଗିବା ବଦଳରେ ରାଜ୍ୟପାଳଙ୍କୁ ସୁପାରିଶ କରିବା ପଛର ଉଦ୍ଦେଶ୍ୟ କଣ ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ, କିଛି ପ୍ରମୁଖ କାରଣ ପାଇଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାହାର କଲେ ବୋଲି ଚର୍ଚ୍ଚା ହେଉଛି । କଣ ସେହି ପ୍ରମୁଖ କାରଣ ପଢନ୍ତୁ ପୁରା ରିପୋର୍ଟ ।

ଏହାବି ପଢନ୍ତୁ- ମୁଁ ସର୍ବୋତ୍ତମ ପ୍ରୟାସ କରିଛି, ମୁଖ୍ୟମନ୍ତ୍ରୀ ବୋଧହୁଏ ଅଧିକ ଆଶା କରିଥିଲେ: ରୋହିତ ପୂଜାରୀ

ଉଚ୍ଚ ଶିକ୍ଷା ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ:-ରାଜ୍ୟରେ ଉଚ୍ଚ ଶିକ୍ଷା ବିଭାଗର ନୈରାଶ୍ୟ ଜନକ ପ୍ରଦର୍ଶନ ଜାରି ରହିଛି । ଅନେକ ସମୟରେ ରାଜ୍ୟରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ରେଜଲ୍ଟ ହେଉ ବା ଗବେଷଣା ହେଉ ସବୁ କ୍ଷେତ୍ରରେ ନୈରାଶ୍ୟଜନକ ପ୍ରଦର୍ଶନ ରହିଛି। ଭିତ୍ତିଭୂମି ଠାରୁ ଆରମ୍ଭ କରି ଅଧ୍ୟାପକ ନିଯୁକ୍ତିରେ ପଛରେ ପଡିଛି ବିଭାଗ । ବିଶ୍ବବିଦ୍ୟାଳୟ ଗୁଡିକରେ ଗବେଷଣାର ମଧ୍ୟ ବ୍ୟାପକ ଅଭାବ ରହିଛି। ସାରା ରାଜ୍ୟର କଲେଜ ଗୁଡିକର ପରୀକ୍ଷା ଫଳରେ ମଧ୍ୟ ଉନ୍ନତି ଆସିପାରୁ ନାହିଁ ।

ଉତ୍କଳ ବିଶ୍ବବିଦ୍ୟାଳୟର ନାକ ମାନ୍ୟତା ଖସିବା:- ରାଜ୍ୟରେ ଏକ ମାତ୍ର ପୁରୁଣା ସରକାରୀ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟର ନାକ ମାନ୍ୟତା ଖସିବା ଓଡିଶାବାସୀଙ୍କୁ ଏକ ଶକ୍ତ ଆଘାତ ଦେଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ନାକ ଗ୍ରେଡ A+ ରୁ A କୁ ଖସି ଆସିବା ଏକ ଦୁଃଖଦ ଘଟଣା। ନାକ ଗ୍ରେଡ କମିବା ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ପୁଣିଥରେ ନାକ ଟିମ କୁ ଅପିଲ କରିଛି। ଉତ୍କଳ ବିଶ୍ୱବିଦ୍ୟାଳୟ ନାକ ଗ୍ରେଡ ମୋଟ ୩.୧୬ ରହିଛି ଗ୍ରେଡ। ନାକ ଗ୍ରେଡ ହ୍ରାସ ପାଇବାରେ ଶିକ୍ଷକ ସଂକଟକୁ ଏକ ପ୍ରମୁଖ କାରଣ ବୋଲି କୁହାଯାଇଛି। ବର୍ଷ ବର୍ଷ ଧରି ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଏବଂ ଅଣଶିକ୍ଷକ ନିଯୁକ୍ତି ହେଉନାହିଁ। ଏଥିସହ ପ୍ରଫେସର, ଆସୋସିଏଟ ପ୍ରଫେସର, ଆସିଷ୍ଟାଷ୍ଟ ପ୍ରଫେସର ଅଧାରୁ ଅଧିକ ଖାଲି ପଡ଼ି ରହିଛି। ରାଜ୍ୟର ୧୨ଟି ସରକାରୀ ବିଶ୍ବବିଦ୍ୟାଳୟରେ ପାଖାପାଖି ଏକ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ପଦ ଖାଲି ପଡ଼ିଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ୨୫୭ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦରୁ ୧୨୯ ଏବଂ ୯୮୦ ଅଣଶିକ୍ଷକ ପଦରୁ ୬୬୭ ଖାଲି ରହିଛି। ତେବେ ଉତ୍କଳ ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ପ୍ରଫେସରଙ୍କୁ ମିଶାଇ ମୋଟ ୨୫୭ ମଞ୍ଜୁରିପ୍ରାପ୍ତ ପଦ ରହିଛି। ହେଲେ ଖାଲିପଡିଛି ୧୨୯ ପଦ।

ଏହାବି ପଢନ୍ତୁ- Higher Education Department: ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀ ବିଦା

NIRF ରାଙ୍କିରେ ବିଶ୍ଵବିଦ୍ୟାଳୟ ମାନ୍ୟତା ହ୍ରାସ:- ଏନଆଇଆରଏଫ ରାଙ୍କିରେ ଶ୍ରେଷ୍ଠ ଶହେ ମଧ୍ୟରେ ଓଡିଶାରୁ ୪ ଟି ବିଶ୍ବବିଦ୍ୟାଳୟ ରହିଥିବା ବେଳେ ୯୩ ତମ ସ୍ଥାନକୁ ଖସି ଯାଇଛି ଉତ୍କଳ ବିଶ୍ବବିଦ୍ୟାଳୟ। ବିଭିନ୍ନ ବର୍ଗକୁ ନେଇ ହୋଇଥିବା ଏହି ରାଙ୍କିରେ ପୂର୍ବପରି ଏଥର ମଧ୍ୟ ଓଡ଼ିଶାର ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଓଡ଼ିଶାର ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉନ୍ନତ ପ୍ରଦର୍ଶନ କରିଥିବାବେଳେ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ସାମଗ୍ରିକ ତାଲିକାରେ ଶ୍ରେଷ୍ଠ ୧୦୦ ଭିତରକୁ ଆସିପାରିନି । ସାମଗ୍ରିକ ବର୍ଗରେ ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ପୂର୍ବପରି ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛନ୍ତି। ସାମଗ୍ରିକ ବର୍ଗରେ ପୂର୍ବ ବର୍ଷ ପରି ସୋଆ, କିଟ, ଏନଆଇଟି ରାଉରକେଲା ଏବଂ ଆଇଆଇଟି ଭୁବନେଶ୍ବର ରହିଛନ୍ତି। ଗତବର୍ଷ ସୋଆ ୩୦ତମ ସ୍ଥାନରେ ଥିବାବେଳେ ଏଥର ୨୬ତମ ସ୍ଥାନକୁ ଉଠିଛି। କିଟ ମଧ୍ୟ ଗତବର୍ଷ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଛି। ୩୪ତମ ସ୍ଥାନରୁ ଏହା ୨୯ ନମ୍ବରକୁ ଆସିଛି। ଏନଆଇଟି ରାଉରକେଲା ୩୯ତମ ସ୍ଥାନରୁ ୩୭ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଆଇଆଇଟି ଭୁବନେଶ୍ବର ତଳକୁ ଖସୁଛି। କ୍ରମାଗତ ଭାବେ ଆଇଆଇଟି ଭୁବନେଶ୍ବର ଏପରି ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ବର୍ଗରେ ରହିଛି ଉତ୍କଳ ବିଶ୍ବବିଦ୍ୟାଳୟ ୯୩ତମ ସ୍ଥାନରେ। ଗତବର୍ସ ଉତ୍କଳ ବିଶ୍ବବିଦ୍ୟାଳୟ ୮୮ତମ ସ୍ଥାନରେ ରହିଥିଲା।

ୟୁପିଏସି କୋଚିଂରେ ବିଫଳତା:- ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆଙ୍କ ସଫଳତା ହାର ନୈରାଶ୍ୟଜନକ ରହୁଛି। ଏକ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ଆଇଏଏସ କୋଚିଂ ବ୍ୟବସ୍ଥା କରାଯାଇଛି। ପ୍ରଥମ କରି 2016-17 ମସିହାରେ ବିଶ୍ବବିଦ୍ୟାଳୟ ଗୁଡିକରେ ଏହି ମାଗଣା କୋଚିଂ ଦିଆଯାଇଥିଲା। ତାହା ପରବର୍ତ୍ତୀ ସମୟରେ ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ 2019-20 ସରକାର ପୁଣି ଥରେ ମାଗଣା କୋଚିଂ ମଧ୍ୟ ଦେଇଥିଲେ। ତାହା ମଧ୍ୟ ବିଫଳ ହୋଇଥିଲା। ବର୍ତ୍ତମାନ ଚଳିତ ବର୍ଷ ଯେଉଁ ମାଗଣା କୋଚିଂ ଦିଆଯାଉଛି ସେଥିରେ 200 ପିଲାଙ୍କୁ ନେଇ କୋଚିଂ ଦିଆଯାଉଛି। ହେଲେ ଏହି ମାଗଣା କୋଚିଂ ନେବା ପାଇଁ ମଧ୍ୟ ଅନେକ ପିଲା ମନଯୋଗ ଦେଇନଥିଲେ। ଯାହା ଫଳରେ ଆଗାମୀ ଦିନ ଏହି ମାଗଣା କୋଚିଂ ର ଲକ୍ଷ୍ୟ କଣ ହେବ। କେତେ ପିଲା ପରୀକ୍ଷାରେ ସଫଳତା ହାସଲ କରିବେ ତାହା ଦେଖିବାକୁ ବାକି ରହିଛି।

ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟରେ ଅନ୍ଧାରରେ ରାଷ୍ଟ୍ରପତି:ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ବବିଦ୍ୟାଳୟରେ ଅନ୍ଧାରରେ ରାଷ୍ଟ୍ରପତି ଭାଷଣ ଦେବା ପ୍ରସଙ୍ଗ। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା। ଭାଷଣ ବେଳେ ହୋଇଗଲା ଅନ୍ଧାର। ୯ ମିନିଟ ପୂରା ଅନ୍ଧାରରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବଡ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ରାଷ୍ଟ୍ରପତି ନିଜେ ଉପସ୍ଥିତ ରହିଥିବା ବେଳେ ଦେଖିବାକୁ ମିଳିଥିଲା ଏକ ବଡ ଅଭାବନୀୟ ଘଟଣା। ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଚାରିଆଡ ଅନ୍ଧାର ହୋଇଗଲା। ଅନ୍ଧାରରେ ଭାଷଣ ଦେଲେ ମହାମହିମ । ଯାହାକୁ ନେଇ ସାରା ଦେଶରେ ଲଜ୍ଜିତ ହେଲା ରାଜ୍ୟ। ହେଲେ ସବୁଠୁ ବଡ କଥା ହେଲା ଏଠି ବି ନିଜ ସରଳ ଓ ମହାନ ବ୍ୟକ୍ତିତ୍ବର ପରିଚୟ ଦେଇଥିଲେ ରାଷ୍ଟ୍ରପତି। ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ୧୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ମହାମହିମ । କାର୍ଯ୍ୟକ୍ରମ ଆରମ୍ଭ ହେବାର କିଛି ସମୟ ପରେ ଲାଇନ କଟିଯାଇଥିଲା। ଏଠି ମଧ୍ୟ ମନ୍ତ୍ରୀ ପୁରା ଚୁପ ରହିଥିଲେ ।

ନେତାଙ୍କ ବୟସକୁ ନେଇ ବିବାଦୀୟ ବୟାନ:ରୋହିତ ପୂଜାରୀଙ୍କ ଏକ ବୟାନ ରାଜ୍ୟରେ ଚହଳ ପକାଇଥିଲା। ଯାହା ବିବାଦୀୟ ଭାବରେ ମୁଣ୍ଡ ଟେକିଥିଲା। ନିର୍ବାଚନ ସମୟରେ 60 ବର୍ଷ ରୁ ଅଧିକ ନେତା ମାନେ ନିର୍ବାଚନ ଲଢ଼ିବା ଉଚିତ ନୁହେଁ। ଏଭଳି ବିବାଦୀୟ ବୟାନ ଦେଇଥିଲେ ରୋହିତ ପୂଜାରୀ। ଯାହାକୁ ନେଇ ଜୋରଦାର ବାୟାନବାଜି ଚାଲିଥିଲା। ତେଣୁ 60 ବର୍ଷରୁ ଅଧିକ କହିଲେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଇସାରା କରୁଛି। ତେଣୁ ବୋଧ ହୁଏ ରୋହିତଙ୍କୁ ମହାଙ୍ଗା ପଡିଛି ଏହି ବୟାନ ।

ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ:- ବିଜେବି କଲେଜ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ନେଇଥିଲା ଏକ ଭିନ୍ନ ମୋଡ। ସିନିୟର ଛାତ୍ରୀ ମାନେ ହଷ୍ଟେଲରେ ରୁଚିକାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଆତ୍ମହତ୍ୟା କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ ରହିଥିଲା। ତେବେ ଏହି ପ୍ରସଙ୍ଗ କୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଏହି ଘଟଣାକୁ ନେଇ ଅନେକ ବାଦ ବିବାଦ ଦେଖାଯାଇଛି। ନ୍ୟାୟ ପାଇଁ ପରିବାର ବର୍ଗ କଲେଜ ସମ୍ମୁଖରେ ଧାରଣାରେ ବସିଲେ । ହେଲେ ଏବେ ବି କାହା ଉପରେ ହୋଇପାରିଲା ନାହିଁ କାର୍ଯ୍ୟନୁଷ୍ଠାନ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details