ଭୁବନେଶ୍ବର: ୪ଟି ରାଜ୍ୟରେ ଆମ ଆଦମୀ ପାର୍ଟିର ନିର୍ବାଚନୀ ଫଳାଫଳକୁ ଦୃଷ୍ଟିରେ ରଖି ଆମ ଆଦମୀ ପାର୍ଟିକୁ ନିର୍ବାଚନ କମିଶନ ଏକ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି । ଆଉ ଏହି ମାନ୍ୟତା ପାଇବା ପରେ ରାଜ୍ୟରେ ବେଶ ଉତ୍ସାହିତ ଆମ ଆଦମୀ ପାର୍ଟି । ୨୦୨୪ ନିର୍ବାଚନରେ ଆପ ରାଜ୍ୟର ସମସ୍ତ ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି । ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଜେଡିର ୨୫ ବର୍ଷର ସରକାର ଫେଲ ମାରିଛି । ଲୋକେ ଏକ ବିକଳ୍ପ ଖୋଜୁଛନ୍ତି । ଆମ ଆଦମୀ ପାର୍ଟିକୁ ବିକଳ୍ପ ଭାବେ ବାଛିବାକୁ ଲୋକେ ପ୍ରସ୍ତୁତ ହେଉଥିବା କହିଛନ୍ତି ଓଡ଼ିଶା ଆପ୍ ଆବାହକ ନିଶିକାନ୍ତ ମହାପାତ୍ର ।
ଆନ୍ନା ହଜାରେଙ୍କ ଆନ୍ଦୋଳନରୁ ଜାତୀୟ ରାଜନୈତିକ ଦଳ: ୨୦୧୨ରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆନ୍ନା ହଜାରେଙ୍କ ନେତୃତ୍ବରେ 'ଆମ ଆଦମୀ ପାର୍ଟି' ଏକ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଧିରେ ଧିରେ ଏହା ରାଜନୈତିକ ଦଳରେ ପରିବର୍ତ୍ତନ ହୋଇ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କଲା । ଗୁଜରାଟରେ ପ୍ରଥମ ଥର ନିର୍ବାଚନକୁ ଓହ୍ଲାଇ ଯଦିଓ ଆଶାନୁରୂପ ଫଳ ଦଳକୁ ମିଳିନଥିଲା, ତଥାପି ୫ଟି ଆସନ ହାତେଇଥିଲା ଆପ୍ । ସୋମବାର ଏହା ଜାତୀୟ ମାନ୍ୟତା ପାଇଛି । ବର୍ତ୍ତମାନ ଏହି ଦଳ ଦୁଇଟି ରାଜ୍ୟ ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଅଛି । ଓଡିଶାରେ ମଧ୍ୟ ଦଳ କ୍ଷମତା ଅକ୍ତିଆର କରିବାକୁ ରଣନୀତି ଆରମ୍ଭ କରିଛି । ଲୋକଙ୍କ ମୌଳିକ ସମସ୍ୟାକୁ ମୁଦ୍ଦା କରି ନିର୍ବାଚନକୁ ଓହ୍ଲାଇବ ଆପ । ଜାତୀୟ ମାନ୍ୟତା ପାଇବା ପରେ ଦଳର କର୍ମକର୍ତ୍ତା ଓ ସଦସ୍ୟଙ୍କ ମନୋବଳ ଦୃଢ ହୋଇଛି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟାକୁ ବୁଝିବାକୁ ପ୍ରୟାସ ଆରମ୍ଭ କରିଛି ଦଳ । ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି, ପାଣି ଭଳି ମୌଳିକ ସୁବିଧା କିପରି ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବ ସେନେଇ ଦଳ ଅଭିଯାନ ଆରମ୍ଭ କରିଛି ବୋଲି କହିଛନ୍ତି ଓଡ଼ିଶା ଆପ ଆବାହକ ନିଶିକାନ୍ତ ମହାପାତ୍ର ।