ଓଡିଶା

odisha

ETV Bharat / state

ଦିଲ୍ଲୀରେ ଆକ୍ସନ, ଭୁବନେଶ୍ୱରରେ ରିଆକ୍ସନ; ‘ବିଜେପିର ଖେଳ ଶେଷ କରିବ ଆପ୍’ - ବିଜେପିର ଖେଳ ସମାପ୍ତ କରିବ ଆପ

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସିବିଆଇର ଗିରଫ । ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ବିରୋଧ କରି ଆଜି ଦେଶବ୍ୟାପୀ ଆନ୍ଦୋଳନ କରୁଛି ଆମ ଆଦମୀ ପାର୍ଟି । ଅଧିକ ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସିବିଆଇର ଗିରଫ
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ସିବିଆଇର ଗିରଫ

By

Published : Feb 27, 2023, 9:05 PM IST

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଗିରଫ, ଆପର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର : ଦିଲ୍ଲୀରେ ଆକ୍ସନ, ଭୁବନେଶ୍ୱରରେ ରିଆକ୍ସନ । ଆପ ନେତା ମନିଷ ସିସୋଦିଆଙ୍କୁ ସିବିଆଇ ଗିରଫଦାରୀ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓଡିଶା ଆପ । ଓଡ଼ିଶା ଶାଖାର ଆବାହକ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲେଇଛି ଦଳ । ରାମମନ୍ଦିର ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ସିବିଆଇ ବିରୋଧରେ ନାରାବାଜି କରିଛି ଦଳ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଛି ଆପ୍ ।

ରାଜ୍ୟ ବିଜେପି କାର୍ଯ୍ୟାଳୟ ସମ୍ନାକୁ ବିକ୍ଷୋଭ କରିବାକୁ ଯିବାବେଳେ ମୁହାଁମୁହିଁ ହୋଇଛନ୍ତି ଆପ ନେତା ଓ ପୋଲିସ । ପୋଲିସ ନିଶିକାନ୍ତଙ୍କ ସମେତ 30ରୁ ଉର୍ଦ୍ଧ୍ବ ଆପ ନେତାଙ୍କୁ ଗିରଫ କରିଛି । ଆମ ଆଦମୀ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି ଯେ, ସାରା ଦେଶରେ ମିଛ ଆଉ ସତର ଲଢେଇ ଚାଲିଛି । ଭ୍ରଷ୍ଟାଚାରୀ ବିଜେପି ଶାସନ ଇଡି ଓ ସିବିଆଇ ଜରିଆରେ ଦେଶକୁ ଭ୍ରମରେ ପକାଇବାକୁ ପ୍ରୟାସ କରାଯାଉଛି ।

ମନିଷ ସିସୋଦିଆ ଜଣେ ସଚୋଟ ଶିକ୍ଷାମନ୍ତ୍ରୀ । ତାଙ୍କୁ ମିଥ୍ୟା ମଦ ଦୁର୍ନୀତି ଅଭିଯୋଗରେ ଯେଉଁଭଳି ଭାବେ ଗିରଫ କରାଯାଇଛି, ସାରା ଭାରତବର୍ଷ ଏହାର ପ୍ରତିବାଦ କରୁଛି । ଭାରତୀୟ ଜନତା ପାର୍ଟି ଯେପରି ସମ୍ବିଧାନ ଓ ଦେଶ ବିରୋଧୀ କାର୍ଯ୍ୟ କରୁଛି, ତାହାକୁ ସହି ହେବନାହିଁ । ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ଦଳ ହେବା ପରେ ବିଜେପି ଭୟଭୀତ ହୋଇଛି । 2 ଟି ରାଜ୍ୟରେ ସରକାର, ଗୁଜୁରାଟ ଓ ଗୋଆରେ ଦଳ ଖାତା ଖୋଲିବା ପରେ ବିଜେପିର ନିଦ ହଜିଛି । ଯଦି କୌଣସି ନେତା ବିଜେପିକୁ ଚ୍ୟାଲେଞ୍ଜ କରିପାରିବ ସେ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ ।

ତେଣୁ ଆପକୁ ସମାପ୍ତ କରିବା ପାଇଁ ଏହାର ନେତାଙ୍କୁ ଜେଲରେ ପସେଇବା ଲାଗି ସିବିଆଇକୁ ମୋହରା କରୁଛି ବିଜେପି । ଭାରତୀୟ ଜନତା ପାର୍ଟିର ଡରକୁ ଆପ ସ୍ୱାଗତ କରୁଛି । ଭବିଷ୍ୟତରେ ବିଜେପିର ଖେଳ ସମାପ୍ତ କରିବ ଆମ ଆଦମୀ ପାର୍ଟି ।ସେହିପରି ଆପର ମୁଖପାତ୍ର ରଙ୍ଗାଚରଣ ପ୍ରଧାନ କହିଛନ୍ତି ଯେ, ସିବିଆଇ ବର୍ତ୍ତମାନ ବିଜେପିର ଏକ ପ୍ରକୋଷ୍ଠ ହୋଇଯାଇଛି । ବିନା ତଥ୍ୟ ପ୍ରମାଣରେ ସିବିଆଇ ଗିରଫ କରୁଛି ।

ଚାର୍ଜସିଟରେ ନାଁ ନଥିବା ସ୍ୱତେ ମନୀଷଙ୍କୁ ସିବିଆଇ ଗିରଫ କରିଛି । ଆମ ଆଦମୀ ପାର୍ଟିକୁ ଡରି ଏହିଭଳି ହତାଶ ମୂଳକ ପଦକ୍ଷେପ ନିଆଯାଉଛି । 500 ସ୍ଥାନରେ ରେଡ଼, 3 ଥର ମନୀଷଙ୍କ ଘର ପଶିଥିଲା ସିବିଆଇ । ଟଙ୍କାକର ଦୁର୍ନୀତି ପ୍ରମାଣ ମିଳିନାହିଁ । ପ୍ରଧାନମନ୍ତ୍ରୀଙ୍କ ବନ୍ଧୁ ଗୌତମ ଅଦାନୀଙ୍କ କମ୍ପାନୀରେ ଏଲଆଇସି ଟଙ୍କା ଲାଗିଥିଲା । ତାହା ମୂଳଧନ ଡୁବିବାକୁ ବସିଲାଣି । ପ୍ରଧାନମନ୍ତ୍ରୀ ସେଠାକୁ ଇଡି, ସିବିଆଇ ପଠେଇବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଓ ନରେନ୍ଦ୍ର ମୋଦି ମାନସିକ ଭାରସାମ୍ୟ ହରାଇ ଏପରି କରୁଛନ୍ତି । ଆପ ଏଥିରେ ଭୟଭୀତ ହେବାର ନାହିଁ । ଦଳ ଚପିବ ନାହିଁ । ମୁକାବିଲା କରିବ କାରଣ ଦଳ ସହିତ ଜନ ସମର୍ଥନ ରହିଛି ବୋଲି କହିଛି ଆପ୍।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details