ଖୋର୍ଦ୍ଧା: ପିଲାଦିନୁ ଦିବ୍ୟାଙ୍ଗ ଥିଲେ କିନ୍ତୁ ହାର ମାନିନଥିଲେ । ସଂଘର୍ଷକୁ ସାଥି କରି ସଫଳତାର ବାଟ ଖୋଜି ସାରିଥଲେ । କିଛି କରିବାରେ ସଫଳ ହୋଇଥିଲେ । ଆଉ ସଫଳତା ପାଇଁ ଗାଁରୁ ବ୍ଲକ ଆଉ ଜିଲ୍ଲା ସବୁଠି ପାଉଥିଲେ ଭୁରି ଭୁରି ପ୍ରଶଂସା । ପଥର ଦେହରେ କବିତା ଲେଖୁଥିଲା ତାଙ୍କ ନିହାଣ । ତାଙ୍କ ହାତ ସ୍ପର୍ଶରେ ନିର୍ଜୀବ ପଥର ପାଉଥିଲା ଜୀବନ୍ୟାସ ।
ପଥର ଖଣ୍ଡରେ ଗଢୁଥିଲେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି । ହେଲେ ସମୟର ବିଡମ୍ବନା ତାଙ୍କ ପାଇଁ ଆଣିିଦେଲା ଦୁଃଖର କଳା ପାହାଡ । ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଡାହାଣ ହାତ ଅଚଳ ହୋଇଗଲା । ନା ଧରିପାରିଲେ ନିହାଣ ନା ଗଢି ପାରିଲେ ମୂର୍ତ୍ତି । ସବୁ କିଛି ଯେମିତି ଅଟକି ଗଲା ତାଙ୍କ ପାଇଁ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ମାଣିବନ୍ଧ ଗାଁର ବିନୟ ମହାନ୍ତିଙ୍କ କଥା । ଯିଏ କି ବର୍ତ୍ତମାନ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।
ଖୋର୍ଦ୍ଧା ମାଣିବନ୍ଧର ବିନୟଙ୍କୁ ସମୟ ଦିନେ ସାଲ୍ୟୁଟ କରୁଥିଲା । ଆଉ ପରିବାରକୁ ନେଇ ଖୁସିରେ ଗଡୁଥିଲା ତାଙ୍କ ସଂସାର ରଥ । ସତେ ଯେମିତି କାହା ନଜର ପଡିଗଲା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଶ୍ରବଣ ବାଧିତ ବିନୟ । ଜୀବନ ତ ବଞ୍ଚିଗଲା ହେଲେ ହାତ ବି ଅଚଳ ହୋଇଗଲା । ଯେଉଁ ହାତ ଦିନେ ପଥରକୁ ଜୀବନ ଦେଉଥିଲା ସେଇ ହାତ ଆଉ କାହାର ହାତ ଲୋଡୁଛି । ପରିସ୍ଥିତି ଏପରି ହେଲା ପରିବାର ଚଳାଇବାକୁ ଟଙ୍କାଟିଏ ମିଳିଲାନି ଶେଷରେ ଭିକ୍ଷାବୃତ୍ତି ପାଇଁ ବାଧ୍ୟ ହେଲେ ବିନୟ । ପରିସ୍ଥିତି ତାଡନା ଏତେ ଉତ୍କଟ ହେଲା ଯେ ପତ୍ନୀ ଓ ପିଲା ତାଙ୍କୁ ଛାଡି ଚାଲିଗଲେ ।