ଖୋର୍ଦ୍ଧା: ବେଆଇନ ଖଣିମାଫିଆଙ୍କ ଉପରେ ଏସଟିଏଫର ନଜର । ଖଣିମାଫିଆଙ୍କୁ ଧରିବାକୁ ଏସଟିଏଫ ଆରମ୍ଭ କରିଛି ଅପରେସନ । ଯାହାକୁ ନେଇ ଶନିବାର ରାତିରେ ଖଣି ମାଫିଆ ଓ ଏସଟିଏଫ କର୍ମଚାରୀଙ୍କ ମଧ୍ଯରେ ହୋଇଛି ଗୁଳିବିନିମୟ । ସଞ୍ଜୟ ପ୍ରଧାନ ନାମକ ଜଣେ ମୋଷ୍ଟ ୱାଣ୍ଟେଡ କ୍ରିମିନାଲକୁ ଧରିବାକୁ ଉଦ୍ଯମବେଳେ ଖୋର୍ଦ୍ଧା ଭାଲିଭାଟିଆ ନିକଟରେ ହୋଇଛି ଗୁଳିବିନିମୟ । ଫଳରେ ଏସଟିଏଫର ୩ଜଣ କର୍ମଚାରୀ ଆହତ ହୋଇଛନ୍ତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି/ସମ୍ବାଦଦାତା ଖୋର୍ଦ୍ଧା, ଭୁବନେଶ୍ବର ଏହାସହ ଖଣିମାଫିଆଙ୍କ ମଧ୍ୟରୁ ଅନେକ ଆହତ ହୋଇ ଚମ୍ପଟ ମାରିଛନ୍ତି । ଜଣେ ଅପରାଧୀଙ୍କୁ ଗିରଫ କରିଛି ଏସଟିଏଫ ଟିମ । ତା ସହିତ ଖଣି ମାଫିଆ ବ୍ଯବହାର କରୁଥିବା ଏକ କାର od02v3880 ଜବତ କରାଯାଇଛି ।
ସୂଚନାନୁସାରେ, ନିଶା ମାଫିଆ ତଥା ଏକାଧିକ ଡକାୟତିରେ ସଂପୃକ୍ତ ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ଓ ତା’ର ଗ୍ୟାଙ୍ଗ ଉପରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ ନଜର ରଖିଥିଲା । ଦୀର୍ଘଦିନ ହେଲା ଏହି ଗ୍ୟାଙ୍ଗ ରାଜ୍ୟରେ ନିଶା କାରବାର, ବେଆଇନ ଖଣି ଖନନ ସହ ବିଭିନ୍ନ ଡକାୟତି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ।
ତେବେ ସଞ୍ଜୟ ଓ ତା’ର ଟିମ ଶନିବାର ରାତିରେ ଖୋର୍ଦ୍ଧା ଟାଉନରେ ଥିବା ଏକ ମଦ ଦୋକାନ ପାଖରେ ଖଟି କରୁଥିବା ଏସଟିଏଫକୁ ଖବର ମିଳିଥିଲା ।ଖବର ମିଳିବା ପରେ ଏସଟିଏଫର ଏକ ଟିମ ସେଠାରେ ଚଢାଉ କରିଥିଲା । ପୋଲିସକୁ ଦେଖି ସଞ୍ଜୟ ଓ ତା’ର ୩ ସହଯୋଗୀ ଏକ କାର (ଓଡି୦୨-ଭି-୩୮୮୦) ଯୋଗେ ଖସି ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ପିଛା କରିବାରୁ ଗୁଳି ମାଡ଼ କରିଥିଲେ । ଫଳରେ ଏସଟିଏଫ ଟିମ ମୁଖ୍ୟ ଆଲୋକ ଜେନା ଓ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଥିଲେ । ପରେ ପୋଲିସ ସେମାନଙ୍କୁ ଗୋଡ଼ାଇ ଥିଲା । ପ୍ରାୟ ଦୁଇ କିଲୋମିଟର ଗୋଡାଗୋଡି ପରେ ପୋଲିସ ଗୁଳିରେ ସଞ୍ଜୟର ସହଯୋଗୀ ମନୋରଂଜନ ଆହତ ହୋଇଥିଲା ।
ଏପରିକି ପୋଲିସ ସେମାନଙ୍କୁ ଓଭରଟେକ କରିବାରୁ ସେମାନେ ଧରାପଡିବା ଭୟରେ ଗାଡି ଛାଡି ଏକ ଜଙ୍ଗଲ ଭିତରକୁ ପଶି ଯାଇଥିଲେ । ପୋଲିସ ଆହତ ସଞ୍ଜୟର ଜଣେ ସହଯୋଗୀକୁ ହେପାଜତକୁ ନେବା ସହ ଗାଡିକୁ ଜବତ କରିଥିବା ଜଣାପଡିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ