ଭୁବନେଶ୍ବର: ‘ପିଲାମାନେ, ବୃକ୍ଷ ହିଁ ଜୀବନ । ଗଛ ରହିଲେ ଆମ ପରିବେଶ ଭଲ ରହିବ । ପରିବେଶ ଭଲ ରହିଲେ ଆମେ ସମସ୍ତେ ଭଲ ରହିବା । ଯଦି ଆମେ ଗଛର ଯତ୍ନ ନେବା ତାହେଲେ ଗଛ ଆମର ଯତ୍ନ ନେବ’ ବୋଲି ରାଜ୍ୟସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ପ୍ରାଙ୍ଗଣରେ ନିମ୍ବ ଚାରା ରୋପଣ କରିବା ସହ ଜଙ୍ଗଲ ଓ ପ୍ରକୃତିକୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ ।
ବାତ୍ୟା ଫନିରେ 22ଲକ୍ଷ ଗଛ ନଷ୍ଟ ହୋଇଛି । ଏହାର ଭରଣା ପାଇଁ ଆଗାମୀ ଦିନରେ 80 ଲକ୍ଷ ଗଛ ଲଗାଯିବ । ସେଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁଜ ଓଡିଶା ଗଠନରେ ସହାୟକ ହୁଅନ୍ତୁ ବୋଲି 70ତମ ବନ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।
ଏହା ସହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି, ‘ବାତ୍ୟା ଫନିରେ ଲକ୍ଷାଧିକ ଗଛ ନଷ୍ଟ ହୋଇଛି । ବିଶେଷକରି ଉପକୂଳ ପୁରୀ, ଭୁବନେଶ୍ବର ଓ କଟକରେ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭିନ୍ନ ଯୋଜନାରେ ଗଛ ଲଗାଇବା ପାଇଁ ପ୍ରାୟ 6କୋଟି ଚାରା ରୋପଣ କରାଯିବ । ଏହାସହିତ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନମାନଙ୍କୁ ମଧ୍ୟ ଚାରାବଣ୍ଟନ କରାଯିବ’ ।