ଓଡିଶା

odisha

By

Published : Jul 24, 2023, 9:54 PM IST

ETV Bharat / state

୨୬ରୁ ସମସ୍ତ କଲେଜରେ ତାଲା, ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ କଲେଜ ସଂଘ

ଆସନ୍ତା ୨୬ରେ ସମସ୍ତ କଲେଜରେ ପଡ଼ିବ ତାଲା । ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ କଲେଜ ସଂଘ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆସନ୍ତା ୨୬ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜରେ ପାଠପଢ଼ା ବନ୍ଦ କରି ମହା ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ କଲେଜ ସଂଘ । ଏନେଇ ସଂଘର କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ୧୬୦ ଦିନ ହେଲା ଲୋୟର ପିଏମଜିଠାରେ ବିଭିନ୍ନ ଦାବି ନେଇ ଧାରଣାରେ ବସି ରହିଛି ସଂଘ । ତେବେ ସଂଘ ୪ ଦଫା ଦାବି ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଥିବା ବେଳେ ସରକାର ଉକ୍ତ ଦାବିଗୁଡ଼ିକୁ କର୍ଣ୍ଣାପତ କରୁନାହାନ୍ତି । ଫଳରେ ୨୬ରେ ଆନ୍ଦୋଳନକୁ ଓହ୍ଲାଇବ କଲେଜ ସଂଘ ।

ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ସହଯୋଗ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ସୁପରିଚାଳନା କରିବା ସଙ୍ଗେ ସଙ୍ଗେ ମୂଲ୍ୟାୟନ କାର୍ଯ୍ୟପନ୍ଥା ମଧ୍ୟ ସଠିକ ଭାବେ ନିର୍ବାହ କରିଆସୁଥିଲେ । ସରକାର କେବଳ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରି ଆଲୋଚନାକୁ ଆଗକୁ ବଢ଼ାଇବାକୁ ମନବଳାଉନାହାନ୍ତି ବୋଲି ସଂଘର ସଭାପତି ଗୋଲକ ନାୟକ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତେବେ ସଂଘ ୪ ଦଫା ଦାବି ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ କରି ଆସୁଛି ।

ଏହା ବି ପଢନ୍ତୁ- ଦାବି ପୂରଣ ନହେଲେ ମୂଲ୍ୟାଙ୍କନ ବର୍ଜନ, ଧମକ ଦେଲା ୬୬୨ ବର୍ଗ କଲେଜ ସଂଘ

ଦାବିଗୁଡ଼ିକ ହେଲା ସମାନ ଗ୍ରେଡ ପେ ଆଧାରରେ ସମସ୍ତ ବର୍ଗଙ୍କୁ ସମାନ ଦରମା, ଏହି ବର୍ଗର କର୍ମଚାରୀଙ୍କୁ ପେନସନ ପରିସରଭୁକ୍ତ କରିବା, ୨୦୧୮ ଜି.ଓ. ଅନ୍ତର୍ଭୂକ୍ତ କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ ଓ ବାଦ ପଢିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଆଦି ଦାବି ନେଇ ଆନ୍ଦୋଳନରେ ବସି ରହିଛନ୍ତି । ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ପ୍ରାୟ ୭୦ ଭାଗ ଦାୟିତ୍ଵ ଏ ବର୍ଗର କର୍ମଚାରୀମାନେ ବହନ କରୁଛନ୍ତି । ଅବସର ସମୟରେ କୌଣସି ଅବସରକାଳୀନ ସୁବିଧା ଓ ପେନସନ ମିଳୁନାହିଁ। ତେଣୁ ଆସନ୍ତା ୨୬ ତାରିଖରୁ ସମସ୍ତ କଲେଜରେ ପାଠପଢ଼ା ବନ୍ଦ କରାଯିବ।

ସମସ୍ତ ଅଧ୍ୟାପକ କର୍ମଚାରୀମାନେ ଅହୋରାତ୍ର ରାଜରାସ୍ତାରେ ବସି ରହି ପ୍ରତିବାଦ କରିବେ। ଏପଟେ କିନ୍ତୁ କିଛି ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଯାଇଛି ଯାହା ଚଳିତ ଜାନୁଆରୀ ୨୧ ତାରିଖରେ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ସମାନ ପୋଷ୍ଟରେ ଥାଇ ମଧ୍ୟ ଅନ୍ୟମାନଙ୍କୁ ୧୦ ହଜାର ଟଙ୍କା ଅଧିକ ଦରମା ଦେଇଛନ୍ତି ସରକାର । ଯାହାକୁ ନେଇ ୬୬୨ ବର୍ଗର ଅଧ୍ୟାପକମାନେ ଧାରଣାରେ ରହିଛନ୍ତି । ତେବେ ଦାବିପୂରଣ ନହେବା ପର୍ଯ୍ୟନ୍ତ କଲେଜରେ ପାଠପଢ଼ା ବନ୍ଦ ରହିବ। ଶିକ୍ଷା ବ୍ୟବସ୍ଥାକୁ ଠପ କରି ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details