ଭୁବନେଶ୍ବର: ଓଡିଶା ରାଜନୀତିରେ ବଡ ହଲଚଲ । 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ମଞ୍ଜୁର କଲା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ପରେ ପାଣ୍ଡିଆନଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ବଢିଲା । ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସରର ନେଇ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ । ଭିଆରଏସ ନେଇ ରାଜ୍ୟ ସରକାର ପଠାଇଥିବା ଆବେଦନକୁ ଅନୁମୋଦନ ଦିଆଯାଇଥିବା ନେଇ ଜଣାଇଲେ କାର୍ମିକ ମନ୍ତ୍ରାଳୟର ଅନୁସଚିବ । ସର୍ବଭାରତୀୟ ସେବା ଆଇନ 16(2A) ଅନୁସାରେ ମଞ୍ଜୁର ନେଇ ଚିଠି ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଲା କେନ୍ଦ୍ର ।
ତାମିଲନାଡୁର ମୂଳ ବାସିନ୍ଦା ଭି କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ ବ୍ୟାଚର ଓଡିଶା କ୍ଯାଡର IAS ଅଫିସର ହେଉଛନ୍ତି ପାଣ୍ଡିଆନ । ସୋନପୁର, ମୟୁରଭଞ୍ଜ, ଢେଙ୍କାନାଳ ଉପଜିଲ୍ଲାପାଳ ପରେ ଗଞ୍ଜାମ ଓ ମୟୂରଭଞ୍ଜର ଜିଲ୍ଲାପାଳ ଭାବେ ମଧ୍ୟ କାମ କରିଛନ୍ତି । 2005 ରୁ 2007 ଯାଏଁ ମୟୁରଭଞ୍ଜ, 2007 ରୁ 2011 ଯାଏଁ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଗତ ୨୦୧୧ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ କାମ କରୁଥିବା ଭିକେ ପାଣ୍ଡିଆନ, ୨୦୧୯ ମସିହାରୁ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ । ଏହା ପର ଠାରୁ ପୁରା ସରକାରକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ଏହା ପରେ ପରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଚର୍ଚ୍ଚାରେ ଥିଲେ ।
ପ୍ରକାଶ ଯେ, ଅକ୍ଟୋବର ୨୦ରେ VRS ଆବେଦନ କରିଥିଲେ ପାଣ୍ଡିଆନ । ଇସ୍ତଫା ଗୃହୀତ ହୋଇଥିବା ଜଣାଇଲା କେନ୍ଦ୍ର କାର୍ମିକ ବିଭାଗ । ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହି ଆସିଥିବା ଭି କେ ପାଣ୍ଡିଆନ କାହିଁକି ସ୍ବେଚ୍ଛାକୃତ ଅବସର ନେଲେ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କାହିଁକି ସେ ଅବସର ନେଲେ। ରାଜନୀତିରେ ସିଧା ସଳଖ ପ୍ରବେଶ କରିବା ନେଇ ଜୋର ଧରିଥିଲା । ଏପରିକି ବିରୋଧୀ ତାଙ୍କୁ ସିଧା ନିଶାନା କରିଥିଲେ । ଯଦି ରାଜନୀତି କରିବାର ଅଛି ତାହେଲେ ଚାକିରୀ ଛାଡି ରାଜନୀତିକୁ ଆସ ବୋଲି ଚ୍ୟାଲେଞ୍ଜ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ।
ପୂର୍ବରୁ ଭି କେ ପାଣ୍ଡିଆନ ସାରା ରାଜ୍ୟ ବୁଲି ଚର୍ଚ୍ଚା କୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ 30 ଜିଲ୍ଲା ରେ ସଭା ଆୟୋଜନ କରି ଜନଶୁଣାଣି କରିଥିଲେ। ପ୍ରତ୍ୟକ ଜିଲ୍ଲାକୁ ହେଲିକ୍ୟାପ୍ଟର ଗସ୍ତ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ସେ ଜନ ଅଭିଯୋଗ ଶୁଣାଣି କରିବାକୁ ଆସିଛନ୍ତି ବୋଲି ସେ ନିଜର ବକ୍ତବ୍ୟ ରଖୁଥିଲେ ଯାହାକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ।
ବିରୋଧୀ ବିଜେପି ଏବଂ କଂଗ୍ରେସ ଭିକେ ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତକୁ ନେଇ ବିଜେଡି ଓ ସରକାରକୁ ସମାଲୋଚନା କରୁଥିଲେ। ଏପରିକି ତତ୍କାଳୀନ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରି ନିଜ ସମ୍ପାଦକୀୟ ଆଲେଖ୍ୟରେ ବିଜେଡିକୁ ସମାଲୋଚନା କରି ଦଳରୁ ତଡା ଖାଇଥିଲେ । ଏପରିକି ବିଜେପି ସାଂସଦ ଅପରାଜିତା ଏବଂ ରାଜ୍ୟ ସଭାପତି କେନ୍ଦ୍ର ସରକାରଙ୍କ ଡିଓପିଟିକୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ମଧ୍ୟ ସମାନ ଅଭିଯୋଗ କରିଥିଲେ ।