ଓଡିଶା

odisha

By

Published : Feb 9, 2023, 9:26 AM IST

Updated : Feb 11, 2023, 9:41 AM IST

ETV Bharat / state

ଆଗାମୀ ବର୍ଷ ଭିତରେ ୫ ହଜାର ଫ୍ଲାଟ ତିଆରି କରିବ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ । ସରକାରଙ୍କ ସମସ୍ତଙ୍କ ପାଇଁ ଘର ଆଭିମୁଖ୍ୟକୁ ଗୃହ ନିର୍ମାଣ ସଂସ୍ଥା ସାକାର କରୁଥିବା କହିଲେ ମନ୍ତ୍ରୀ ଉଷା ଦେବୀ । ଅଧିକ ପଢନ୍ତୁ

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ବର୍ଷିକ ଉତ୍ସବ
ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ବର୍ଷିକ ଉତ୍ସବ

ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ବର୍ଷିକ ଉତ୍ସବ


ଭୁବନେଶ୍ବର: ଓଡି଼ଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କର୍ମଚାରୀ ସଂଘର ୩୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ''ସମସ୍ତଙ୍କ ପାଇଁ ଘର'' ଆଭିମୁଖ୍ୟକୁ ସାକାର କରିବା ଲାଗି ଗୃହ ନିର୍ମାଣ ବିଭାଗ ସୁଲଭ ମୂଲ୍ୟରେ ଘର ତିଆରିକରି ଯୋଗାଇ ଦେବ । ଏଥିପାଇଁ ସରକାରଙ୍କ ସହଯୋଗ ମିଳିବ । ସେହିପରି ସଂସ୍ଥାର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ କହିଛନ୍ତି, ''ଗତ ୫୫ ବର୍ଷ ଧରି ରାଜ୍ୟବାସୀଙ୍କୁ ଗୃହ ଯୋଗାଇ ଦେଉଥିବା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଏକ ସ୍ବତନ୍ତ୍ର ଓ ସମୃଦ୍ଧ ପରମ୍ପରାର ଇତିହାସ ରହିଛି । ଏହି ସମୃଦ୍ଧ ପରମ୍ପରାକୁ ପୁନରୁଦ୍ଧାର କରିବାକୁ ଯାଇ ଆଗାମୀ ଏକ ବର୍ଷ ଭିତରେ ୫ ହଜାର ଫ୍ଲାଟ ତିଆରି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି ।''

ଖୁବଶୀଘ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ରୂପେ ସମୃଦ୍ଧ ହୋଇ ରାଜ୍ୟର ଏକ ନମ୍ବର ସଂସ୍ଥା ଭାବେ ଲୋକଙ୍କ ସାମାଜିକ ଜୀବନକୁ ସୁଦୃଢ କରିବା ପାଇଁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ । ପ୍ରାଥମିକ ପର୍ଯ୍ୟାୟରେ ପୁରୀ କଟକ ଭଳି ସହରରେ ଏହାର ଶୁଭାରମ୍ଭ ହେବ । ପରେ ପରେ ରାଜ୍ୟର ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି କଳିକେଶ । ଏଥିପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ଏବଂ ସବୁ ଜିଲ୍ଲାକୁ ଚିଠି ଲେଖାଯାଇଥିବା ଜଣାଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ରାଜ୍ୟରେ ଏକ ମିନି ସିଟି ତିଆରି କରିବ ଗୃହ ନିର୍ମାଣ ସଂସ୍ଥା । ଏହାନିମନ୍ତେ ୨୫ ଏକର ଜମି ରାଜ୍ୟ ସରକାରଙ୍କୁ ମଗାଯାଇଛି । ଏଥିରେ କିନ୍ନର, ବରିଷ୍ଠ ନାଗରିକ, ଶାରୀରିକ ଅକ୍ଷମତା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯିବ ।

ଅନ୍ୟପଟେ ସାମାଜିକ ଦାୟିତ୍ୱ ବୁଝି ଗୃହ ନିର୍ମାଣରେ ସହଯୋଗ କରୁଥିବା କର୍ମଚାରୀ କାର୍ଯ୍ୟକ୍ରମରେ ସେମାନଙ୍କର ବିଭିନ୍ନ ଦାବି ରଖିଥିଲେ । ଯାହାକି ଆଭ୍ୟନ୍ତରୀଣ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ । କର୍ମଚାରୀ ସଂଘର ସଭାପତି ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂସ୍ଥାର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ ଓ ସଚିବ ରସ୍ମିତାରାଣୀ ତରାସିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଦୀର୍ଘ ୫୫ବର୍ଷ ଧରି ରାଜ୍ୟବାସୀଙ୍କ ପାଇଁ ଗୃହ ନିର୍ମାଣ କରିଆସୁଥିବା ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର କର୍ମଚାରୀଙ୍କ ବିଭିନ୍ନ ଦାବିକୁ ରାଜ୍ୟ ସରକାର ବିଭିନ୍ନ ପର୍ଯ୍ୟାୟରେ ପୂରଣ କରିଥିବାରୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହାସହିତ ଆଉ କିଛି ସମସ୍ୟାର ସମାଧାନ କରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ନିବେଦନ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସଂଘର ମୁଖପାତ୍ର ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଶେଷରେ କର୍ମଚାରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ନାଟକ ସ୍ବପ୍ନର ଘର ମଞ୍ଚସ୍ଥ ହୋଇଥିଲା ।

ଅନ୍ୟପଟେ କିନ୍ନରମାନଙ୍କ ପାଇଁ ସମସ୍ତ ସହର ଅଥବା ମହାନଗର ନିଗମରେ ୱର୍କିଙ୍ଗ ହଷ୍ଟେଲ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଥିବା ବେଳେ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ବିଭିନ୍ନ କାର୍ଯ୍ୟ କରି ଜୀବିକା ଅର୍ଜନ କରୁଥିବା କିନ୍ନରମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗୃହ ନିର୍ମାଣ ହେବ । ଏହି ପାଇଲଟ ଯୋଜନାର ଶୁଭାରମ୍ଭ ହେବ ବୋଲ କହିଛନ୍ତି କଳିକେଶ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 11, 2023, 9:41 AM IST

ABOUT THE AUTHOR

...view details