ଭୁବନେଶ୍ବର: ବହୁ ବାଦବିବାଦ ଓ କୋର୍ଟଙ୍କ ଭର୍ତ୍ସନା ପରେ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି(ସୋମବାର) ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଏହି ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଛି । ୨୦୧୯ ମସିହା ପାଇଁ ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର ମିଳିଛି । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘କାଲିର ଅତୀତ’ ପୁରସ୍କୃତ ହୋଇଛି । ଠିକ୍ ସେହିପରି କାଲିର ଅତୀତ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ନୀଳମାଧବ ପଣ୍ଡା, ଶ୍ରେଷ୍ଠ ଅଭିନେତା ଭାବେ ପୀତବାସ ତ୍ରିପାଠୀ, ବାବୁ ଭାଇଜାନ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶିବାନୀ ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି ।
ଶ୍ରେଷ୍ଠ କାହାଣୀକାର ଭାବେ ଶଲାବୁଢାର ବଦଲା ଚଳଚ୍ଚିତ୍ର ପାଇଁ ସ୍ୱର୍ଗତ କପିଳେଶ୍ୱର ମହାପାତ୍ର, କୋଟିଏରେ ଗୋଟିଏ ମନ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ରାଜୁ ମିଶ୍ର, ଶ୍ରେଷ୍ଠ ଗୀତିକାର ପ୍ରଦୀପ୍ତ ନନ୍ଦ, ଶ୍ରେଷ୍ଠ ସମ୍ପାଦକ ଭାବେ ପୁନିତ ରାଜଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ରୋହିତ ରାଜଙ୍କୁ ସ୍ବତନ୍ତ୍ର ଜୁରୀ ପୁରସ୍କାର, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ୱୟମ୍ ପାଢୀ(ଦେଖା ହେଲା ପ୍ରେମ ହେଲା) ପୁରସ୍କୃତ ହୋଇଛନ୍ତି । ଫ୍ରମ ମି ଟୁ ଇଉ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଦୀପ୍ତିରେଖା ପାଢୀ, ବାବୁ ଭାଇଜାନ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଚିତ୍ର ଗ୍ରହଣ ଭାବେ ରବିନ୍ଦ୍ର ବେହେରାଙ୍କୁ ପୁରସ୍କାର ଦିଆଯାଇଛି ।
ଶ୍ରେଷ୍ଠ କୋରିଓଗ୍ରାଫର ଭାବେ ଗିରିଶ ମହାନ୍ତି, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ବବି ମିଶ୍ର, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ବନିତା ନାଗ, ଶ୍ରେଷ୍ଠ ହାସ୍ୟ କଳାକାର ଭାବେ ହରିହର ମହାପାତ୍ର, ଶ୍ରେଷ୍ଠ ଗୀତିକାର ଭାବେ ପ୍ରଦୀପ୍ତ ଚାନ୍ଦ ପୁରସ୍କୃତ ହୋଇଛନ୍ତି । ଶ୍ରେଷ୍ଠ ଶିକ୍ଷା ଓ ଶିଶୁଭିତ୍ତିକ ଚଳଚ୍ଚିତ୍ର ପାଇଁ ବାଜି ଦ ବୋଟ ବୟକୁ ମିଳିଛି ପୁରସ୍କାର । ଶ୍ରେଷ୍ଠ କଳା ନିର୍ଦ୍ଦେଶକ-କଳିଙ୍ଗ କେଶରୀ ନାୟକ କାଲିର ଅତୀତ ପାଇଁ ପୁରସ୍କାର ପାଇଛନ୍ତି । ଶ୍ରେଷ୍ଠ ଶିଶୁ କଳାକାର ଭାବେ ମୟଙ୍କ ରଙ୍ଗ ବରଷିବ ଟୁପୁରୁ ଟାପୁରୁ ଫିଲ୍ମ ପାଇଁ ପାଇଛନ୍ତି ।
ହାଇକୋର୍ଟଙ୍କ ଭର୍ତ୍ସନା ଓ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ମନୋନୟନ ତାଲିକାକୁ ରଦ୍ଦ କରିବା ପରେ ସଂସ୍କୃତି ବିଭାଗ ଏହି ସଂଶୋଧିତ ତାଲିକା ଅନୁସାରେ ପୁରସ୍କାର ପ୍ରଦାନ କରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସଂସ୍କୃତି ବିଭାଗ ଆଉ ସାନି ତାଲିକା ଘୋଷଣା ନକରି ସିଧାସଳଖ ପୁରସ୍କାର ପ୍ରଦାନ କରିଥିଲା । ଫଳରେ ନୂଆ ତାଲିକାରେ କିଏ ସ୍ଥାନ ପାଇଲେ ତାହା କାର୍ଯ୍ୟକ୍ରମ ଆରମ୍ଭ ପର୍ଯ୍ୟନ୍ତ ଜଣାପଡ଼ିନଥିଲା । ଡବିଂ ଚଳଚ୍ଚିତ୍ର ‘ଖୁସି’ ଓ ଗୋଲ୍ମାଲ୍ ଲଭ୍’କୁ ପୁରସ୍କାର ପ୍ରକ୍ରିୟାରୁ ବାଦ୍ ଦିଆଯାଇଥିବା ବେଳେ ପୁରସ୍କାର ତାଲିକାରେ ଅନେକ ପରିବର୍ତ୍ତନ କରାଯାଇଛି । ଏପରିକି ଏହି ତାଲିକାରୁ ‘ନାୟକର ନାମ ଦେବଦାସ’ ଓ ‘ବାପା ତୁମେ ଭାରି ଦୁଷ୍ଟ’ ଭଳି ଚଳଚ୍ଚିତ୍ର ବି ବାଦ୍ ପଡ଼ିଛନ୍ତି ।