ଭୁବନେଶ୍ବର: ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ( Chief Secretary Suresh Chandra Mahapatra)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି ।
ଏହାବି ପଢନ୍ତୁ- ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ବଡ଼ ସଫଳତା : ନିଯୁକ୍ତି ପାଇ ତାମିଲନାଡୁ ଗଲେ ୨୨୦ ଯୁବତୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲଡ ଇନ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ପୂର୍ଣ୍ଣାଙ୍ଗ ହୋଇଛି 3 ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତ ବର୍ଷ ଶେଷ ସୁଦ୍ଧା 3 ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ । ଏହି ସୋସାଇଟି ଦ୍ୱାରା ପିପିପି ମୋଡରେ ଅନୁଷ୍ଠାନ ଗୁଡିକ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ କଣ୍ଟ୍ରୋଲ ଡ୍ରାଇଭିଂ ଡିଭାଇସ, ସିମୁଲେଟର, ଓ୍ୱାର୍କସପ ଯନ୍ତ୍ରପାତି ଓ ତାଲିମ ଉପକରଣ ପାଇଁ ପ୍ରାୟ 2.67 କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ । ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ । ଆଧୁନିକ ଜ୍ଞାନ କୌଶଳ ସହ ଉଚ୍ଚମାନର ତାଲିମ ଦେବା ଏବଂ ତାଲିମ ପରେ ଯୁବକ ଯୁବତୀମାନଙ୍କୁ ଡ୍ରାଇଭିଂ ଲାଇସେନସ ପ୍ରଦାନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଏହାବି ପଢନ୍ତୁ- ମହାମାରୀରେ ସହଯୋଗ ବିଶ୍ୱ ଦରବାରରେ ଭାରତର ଗୁରୁତ୍ୱ ବଢାଇଛି: ଜାତିସଂଘ ମୁଖ୍ୟ