ହାଇଦ୍ରାବାଦ: କୋରୋନାର ମୃତ୍ୟୁ ଜାଲରେ ସମସ୍ତେ ଧୀରେ ଧୀରେ ଫଶିବାକୁ ଲାଗିଲେଣି। ରାକ୍ଷସ ସାଜି ସମସ୍ତଙ୍କୁ ଗ୍ରାସ କରୁଛି ମହାମାରୀ । ତା କବଳରୁ କେହି ବର୍ତ୍ତି ପାରୁନାହାଁନ୍ତି । ଦିନକୁ ଦିନ ତାର ପ୍ରକୋପ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । କୌଣସି ଦେଶ କିମ୍ବା ରାଜ୍ୟ, କୌଣସି ନେତା କିମ୍ବା ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାଁନ୍ତି । ସମସ୍ତଙ୍କୁ ନିଜ ମାରାତ୍ମକ ପଞ୍ଝାରେ ଜାବୁଡି ଧରୁଛି । ନା ଅର୍ଥ, ନା ପାୱାର କିଛି ବି କାମ କରିପାରୁନାହିଁ। କୋରୋନା ଆଗରେ ମୁଣ୍ଡ ନୁଆଁଇବାକୁ ସମସ୍ତେ ବାଧ୍ୟ ହେଉଛନ୍ତି । ଯେମିତି ଅଖ-ଚକ ସବୁ ଅଚଳ ହୋଇଯାଇଛି ।
ଓଡିଶା ସମେତ ପୁରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପୁରା ବିଶ୍ବରେ 2 କୋଟି 56 ଲକ୍ଷ 62 ହଜାର 163 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 8 ଲକ୍ଷ 55 ହଜାର 352 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଓଡିଶାରେ 1,06,561 ଜଣ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାବେଳେ 503 ମୃତ୍ୟୁବରଣ କରିଛନ୍ତି । 28,719 ଜଣ ସକ୍ରିୟ ମାମଲା ଥିବାବେଳେ 77,286 ଜଣ ସୁସ୍ଥ ହୋଇସାରିଲେଣି ।
ଓଡିଶାର 30 ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଛି କୋରୋନା ମହାମାରୀ। କେଉଁଠି ଅଧିକ ତ ଆଉ କେଉଁଠି କମ୍। ଦେଶରେ କୋରୋନା ମହାମାରୀ ମାମଲା ଯେତେବେଳେ ବଢିବାକୁ ଲାଗିଲା, ସେତେବେଳେ ଓଡିଶାରେ ଏହାର ପ୍ରଭାବ ଖୁବ୍ କମ୍ ଥିଲା। କିନ୍ତୁ ଆଜି ଦିନରେ ଦେଖିବାକୁ ଗଲେ ଓଡିଶା ଏବେ ବହୁତ ରାଜ୍ୟକୁ ପଛରେ ପକାଇ ଦେଇଛି । ତେଣିକି ସେ ପଜିଟିଭ ମାମଲା ହେଉ କି ମୃତ୍ୟୁ ସଂଖ୍ୟା।
କେବଳ ଓଡିଶା ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ହିଁ ଅନ୍ୟ ରାଜ୍ୟ ଅପେକ୍ଷା କୋରୋନା ମୃତ୍ୟୁହାର ଓଡିଶାରେ କମ୍ ଅଛି । ଲକଡାଉନ ହେଉ କିମ୍ବା ସଟଡାଉନ ଲୋକେ ସରକାରଙ୍କ ନିୟମକୁ ସମ୍ମାନ ଦେଇ ନିଜକୁ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ରଖିପାରିଛନ୍ତି । ଯାହା ଫଳରେ ସଂକ୍ରମଣ ମାମଲା କମ୍ ଦେଖିବାକୁ ମିଳିଛି ।