ଭୁବନେଶ୍ବର: ୧୯୯୯ ମହାବାତ୍ୟାକୁ ପୁରିଛି ୨୪ ବର୍ଷ । ହେଲେ ଆଜି ବି ସେହି ଦିନ କଥା ଭାବିଲେ ଶିହରି ଉଠେ ଦେହ ଆଉ ଥରି ଉଠେ ଛାତି । ମହାବାତ୍ୟାର ଭୟଙ୍କର ତାଣ୍ଡବର ସାକ୍ଷୀ ଥିବା ପ୍ରଭାବିତ ଆଜି ବି ସେହି କଥାକୁ ମନେ ପକାଇଲେ ଆଖିରେ ଜକାଏ ପାଣି । ବାତ୍ୟାରେ ଯେଉଁମାନଙ୍କର ଅକାଳ ବିୟୋଗ ଘଟିଥିଲା ତାହାକୁ ଆତ୍ମୀୟସ୍ବଜନ ଆଜି ଭୁଲି ପାରିନାହାନ୍ତି । ସେହି ଛାତିଥରା ଦିନକୁ ଶବ୍ଦରେ ବୟାନ କରିବା ବହୁ କଷ୍ଟକର । ବର୍ଷ ପରେ ବର୍ଷ ବିତିଯାଉଛି । ହେଲେ ଅକ୍ଟୋବର ୨୯ ତାରିଖ ଆସିଲେ ପ୍ରତ୍ୟକ୍ଷଦର୍ଶୀଙ୍କ ଆଖି ସାମ୍ନାରେ ନାଚି ଉଠେ ସେହି ସମୟ । ଘଣ୍ଟାପ୍ରତି ୩୦୦କିମି ବେଗରେ ପବନ ସାଙ୍ଗକୁ ଆର୍ତ୍ତ ଚିତ୍କାର, ଭୟଙ୍କର ଶବ୍ଦ ଶୁଣି ଏହି କଣ ସୃଷ୍ଟିର ବିନାଶ ବୋଲି ଭାବି ନେଇଥିଲେ ଲୋକେ । ଇତିମଧ୍ୟରେ ୨୪ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାବାସୀ ସେହି ରାତିକୁ ଆଜି ବି ଭୁଲିପାରିନାହାନ୍ତି ।
ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ । ହଠାତ୍ ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଭୟଙ୍କର ଗର୍ଜନ କରି ବହିଲା ପବନ । ଚମକାଇ ଦେଲା ଭଳି ବିଜୁଳି ସାଙ୍ଗକୁ ମୂଷଳଧାରାରେ ବର୍ଷା ଆରମ୍ଭ ହୋଇଥିଲା । ଧୀରେ ଧୀରେ ଅଶାନ୍ତ ହୋଇଉଠିଥିଲା ସମୁଦ୍ର । ଏହାପରେ ଆଖି ଯାହା ଦେଖିଲା ତାହା ବିଶ୍ବାସ କରିବା କଷ୍ଟକର । ପବନ ମାଡ଼ରେ ଉପୁଡିଥିଲା ବଡ ବଡ ଗଛ ଆଉ ଭାଙ୍ଗିଲା ଶହ ଶହ ଘର । ଦିନ ସାରା ଲାଗି ରହିଥିଲା ଏହି ତାଣ୍ଡବ । ଆଉ ସକାଳ ପାହିବା ପରେ ଆଖି ଆଗରେ ପଡ଼ିଥିଲା କୁଢ କୁଢ ମୃତଦେହ । ନିଶ୍ଚିହ୍ନ ହୋଇଗଲା ଗାଁଗଣ୍ଡା । ମହାବାତ୍ୟାର କୋପରେ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ଅଞ୍ଚଳ । ଚାରିଆଡେ ପ୍ରଳୟର ପାଦ ଚିହ୍ନ ଛାଡିଯାଇଥିଲା ୧୯୯୯ ମସିହା ମହାବାତ୍ୟା ।
ଏହା ବି ପଢନ୍ତୁ- 1999 CYCLONE: ପୁରିଛି ୨୩ବର୍ଷ, ଆଜିବି ମହାବାତ୍ୟାର ମହାକ୍ଷତି ଅପୂରଣୀୟ
ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁରର ମହାବାତ୍ୟା ଏରସମାରେ ସ୍ଥଳଭାଗ ଛୁଇଁଥିଲା । ସେହି ସମୟରେ ଘଣ୍ଟାପ୍ରତି ୨୮୦ରୁ ୩୦୦ କିଲୋମିଟର ବେଗରେ ପବନ ବହିଥିଲା । ସମୁଦ୍ରରୁ ପାଖାପାଖି ୩୦ ଫୁଟ ଉଚ୍ଚ ଜୁଆର ଉଠିଥିଲା । ନିମିଷକେ ମଧ୍ୟରେ ସବୁ କିଛି ଛାରଖାର ହୋଇଯାଇଥିଲା । କେହି କିଛି ଜାଣିବା ପୂର୍ବରୁ ଏରସମା ବ୍ଲକର ଜପା, ଦହିବର, ଟାଙ୍କଳ ଆଦି ଗ୍ରାମକୁ ମାଡି ଆସିଲା ପାଣି । କିଏ ବାପାକୁ ହରାଇଥିଲା ତ କିଏ ସ୍ବାମୀକୁ । ଘରର ମୁରବିକୁ ହରାଇ ହତବାକ୍ ହୋଇପଡିଥିଲା କେତେ ଯେ ପରିବାର । କେଉଁଠି ମା'ଥିଲେ ଛୁଆ ନଥିଲା, ଆଉ କେଉଁଠି କୋମଳମତୀ ଶିଶୁ ଆଗରେ ପଡ଼ିଥିଲା ପିତାମାତାଙ୍କ ମୃତଦେହ । ଘର ହୋଇଥିଲା ମୁରବି ଶୂନ୍ୟ । ଅନାଥ ହୋଇଥିଲେ ଅନେକ ଶିଶୁ ।