ବିଜେବି କଲେଜରେ ଜୁନିୟର ଛାତ୍ରଙ୍କୁ ନିର୍ଧୁମ ପିଟିଲେ ସିନିୟର ଛାତ୍ର ଭୁବନେଶ୍ବର: ବିଜେବି କ୍ୟାମ୍ପସରେ ଛାତ୍ରଙ୍କ ଗୁଣ୍ଡାଗର୍ଦି । ଜଣେ ଛାତ୍ରୀଙ୍କ ପାଇଁ ଛାତ୍ରଙ୍କ ଭିତରେ ମାରପିଟ୍ । କଲେଜ ପରିସରରେ ଜଣେ ଛାତ୍ରଙ୍କୁ ନିର୍ଧୁମ ମାଡ଼ । ତଳେ ପକାଇ ପିଟିଲେ ତିନିଜଣ ଛାତ୍ର । ପରିସ୍ଥିତି ଏଭଳି ହେଲା ଯେ, ଏନେଇ ଥାନାରେ ପହଞ୍ଚିଛି ଅଭିଯୋଗ । ଅଭିଭାବକ କହୁଛନ୍ତି ଏହା ହେଉଛି ରାଗିଂ । ହେଲେ ପୋଲିସ କହୁଛି ରାଗିଂ ନୁହେଁ ଏହା ଦୁଇ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ।
ମିଳିଥିବା ସୂଚନା ମୁତାବକ ୩ ଦିନ ପୂର୍ବେ ବିଜ୍ଞାନ ବିଭାଗର ଜଣେ ଛାତ୍ରୀଙ୍କ ସହ ତାଙ୍କର ଜଣେ ବନ୍ଧୁ ଯାଉଥିବା ବେଳେ, କଳା ବିଭାଗର ଦୁଇ ଜଣ ସିନିୟର୍ ଛାତ୍ର ଆସି ତାଙ୍କୁ ବାରଣ କରିଥିଲେ । ସେହି ଛାତ୍ରୀ ସହ ନମିଶିବାକୁ ଧମକ ଦେବା ସହ ତାଙ୍କୁ ମାରପିଟ କରିଥିଲେ । ଏନେଇ ବଡଗଡ ଥାନାରେ ଏକ ଅଭିଯୋଗ ହୋଇଛି । ଯାହାକୁ ନେଇ ପୋଲିସ ତଦନ୍ତ ଚଳାଇଛି । ତେବେ ପୋଲିସ କହିଛି ଏହା ରାଗିଂ ନୁହେଁ, ବରଂ ଦୁଇ ଛାତ୍ରୀଙ୍କ ସହ ବନ୍ଧୁକ ଯିବା ଆସିବାକୁ ନେଇ ସିନିୟର୍ ଛାତ୍ରଙ୍କ ଏହା ଗଣ୍ଡଗୋଳ । ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି ।
ସେପଟେ ଛାତ୍ରୀଙ୍କ ବାପା କହିଛନ୍ତି ଏହା ରାଗିଂ । ଏନେଇ ଘଟଣାର ତଦନ୍ତ ହେବା ଦରକାର । ଯେଉଁମାନେ ଏଭଳି କାମ କରିଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଆଣ୍ଟି ରାଗିଂ କମିଟି ଏନେଇ ଧ୍ୟାନ ଦେବା ଦରକାର ବୋଲି ସେ କହିଛନ୍ତି । ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି, ଏହା ପ୍ରକୃତରେ ରାଗିଂ ନା ପୋଲିସର କହିବା ଅନୁସାରେ ଗଣ୍ଡଗୋଳ । ତେବେ ଜଣେ ଜୁନିୟର ଛାତ୍ରଙ୍କୁ ଦୁଇ ସିନିୟର୍ ଛାତ୍ର ଏପରି ମାଡ଼ ମାରିବା ଓ ଏନେଇ କ୍ୟାମ୍ପସ ଭିତରେ ଆତଙ୍କ ଖେଳାଇବା ପଛରେ କଲେଜ କର୍ତ୍ତୃପକ୍ଷ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
ବିଜେବି କଲେଜରୁ ଅନେକ ସମୟରେ ଏପରି ରାଗିଂ ଅଭିଯୋଗ ଆସୁଥିବାବେଳେ ଏହାକୁ କଲେଜ କର୍ତ୍ତୃପକ୍ଷ କିପରି ଗୁରୁତ୍ବ ଦେଉନାହାନ୍ତି, ସେନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ଏନେଇ କିଛି ସିନିୟର୍ଙ୍କ ହାତ ଥିବା ସେ ସୁଇସାଇଡ ନୋଟରେ ଲେଖିଥିଲେ । ହେଲେ ନା ସେ ଘଟଣା ସାମ୍ନାକୁ ଆସିଲା ନା କୌଣସି ପଦକ୍ଷେପ ନିଆଗଲା । ଏତେବଡ କଲେଜ ପରିସରରେ ଏପରି ଏକ ଘଟଣା ଗୋଟିଏ ପରେ ଗୋଟିଏ ଘଟି ଚାଲିଥିବାବେଳେ ତାହା ଏବେ ଚିନ୍ତା ଜନକ ବିଷୟ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର