କେନ୍ଦୁଝର:ଶେଷରେ ଫେରିଲା ଢୁଡ୍ । କେନ୍ଦୁଝରର ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର କୁନ୍ତଳା କୁମାରୀ ସପ୍ତାହେ ପରେ ଆଜି (ବୁଧବାର) ତାଙ୍କ ଢୁଡ୍ (ବାରହା)କୁ ଫେରି ପାଇଛନ୍ତି ।
ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ତଳେ କୁନ୍ତଳା ନିଜ ସାନ ଝିଅକୁ ହରାଇଥିଲେ। ଘର ପାଖ ଜଙ୍ଗଲରେ ତାଙ୍କ ସାନ ଝିଅର ଅନ୍ତିମ ସତ୍କାର କରାଯାଇଥିଲା । ସେବେଠାରୁ କୁନ୍ତଳା ଝିଅର ଅନ୍ତିମ ସତ୍କାର ସ୍ଥଳକୁ ଯାଆନ୍ତି । ଏହିପରି ଗୋଟିଏ ଦିନ ସେ ଜଙ୍ଗଲକୁ ଯିବା ସମୟରେ ଏକ ମା ଛେଉଣ୍ଡ ବାରହା ଶାବକକୁ ଜଙ୍ଗଲରେ ଦେଖିବାକୁ ପାଇଥିଲେ । ଛୁଆ ବାରହା ଶାବକକୁ ଜଙ୍ଗଲରେ ନ ଛାଡି ସେ ତାକୁ ତାଙ୍କ ଘରକୁ ନେଇଆସିଥିଲେ । ଆଉ ସ୍ନେହରେ ବାରହା ଶାବକର ନା ଦେଇଥିଲେ ଢୁଡ୍ । ସେବେଠାରୁ ନିଜ କୋଳରେ ବସାଇ ଖାଇବାକୁ ଦେବା ସହିତ ଲୋରି ଗାଇ ଢୁଡ୍ କୁ ଶୁଆଇ ଦିଅନ୍ତି କୁନ୍ତଳା ।
ଦିନ ପରେ ଦିନ ବିତିଲା ପରେ ଢୁଡ୍ ବଡ ହୁଏ । ସେ ମଧ୍ୟ ପରିବାରର ସଦସ୍ୟ ହୋଇଯାଏ । କୁନ୍ତଳାଙ୍କ ପରିବାରରେ ଢୁଡ୍ ସମସ୍ତଙ୍କ ପ୍ରିୟ ହୋଇଯାଏ । ପଶୁ ହୋଇ ମଧ୍ୟ ମଣିଷଙ୍କ ଆବେଗ ସହ ସେ ଛନ୍ଦି ହୋଇଯାଏ । କିନ୍ତୁ ଗତ ସପ୍ତାହ ତଳେ ବନ ବିଭାଗ କର୍ମଚାରୀ ଆସି ଢୁଡ୍ କୁ ନେଇଯିବା ସହ ଜଙ୍ଗଲରେ ଛାଡି ଦେଇଥିଲେ ।