କେନ୍ଦୁଝର: ଦିନକୁ ଦିନ ମହାମାରୀ କୋରୋନାର ସଂକ୍ରମଣ ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ମହାମାରୀ ପାଇଁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ପାଇଁ ସବୁଠି କାମଦାମ ଠପ ହୋଇଯାଇଛି ।
ସହରରୁ ଗାଁ ସବୁଠି କାମ ବନ୍ଦ ହୋଇଯାଇଥିବା ବେଳେ ହାତ ବାନ୍ଧି ବସିଛନ୍ତି ଖଟିଖିଆ ଓ ପରିଶ୍ରମ କରି ବଞ୍ଚୁଥିବା ଶ୍ରମିକ, କଳାକାର । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ସହରୀ କାରିଗର । ଏହି ସହରୀ ଚିତ୍ରକର ଓ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ଆରମ୍ଭ କରାଯାଇଛି ନୂତନ ପ୍ରୟାସ । ଏହି ନୂତନ ପ୍ରୟାସରେ କେନ୍ଦୁଝରଗଡ଼ ପୌରପାଳିକାରେ ଥିବା ୨୧ଟି ୱାର୍ଡ ଗୁଡିକରେ କାନ୍ଥ ଚିତ୍ରଣ କରାଯାଉଛି । ଏହା ସହ ସବୁ ୱାର୍ଡର ଶ୍ରମିକଙ୍କୁ ସେହି ୱାର୍ଡରେ କାର୍ଯ୍ୟ ଯୋଗାଇ ଦିଆଯାଉଛି । ଏହି କାନ୍ଥ ଚିତ୍ରଣରେ ବିଭିନ୍ନ ସାମାଜିକ ବାର୍ତ୍ତା ସାଙ୍ଗକୁ କୋରୋନା ସମ୍ପର୍କିତ ଚିତ୍ର ଅଙ୍କାଯାଉଛି ।