କେନ୍ଦୁଝର:ମନ୍ଦାର ନଡିଆ ଯାହାଙ୍କ ପ୍ରିୟ । କୋଟିକୋଟି ଓଡିଆଙ୍କ ଆରାଧ୍ୟ ଦେବୀ ସେ ଘଟଗାଁ ନିବାସୀନି ମା’ତାରିଣୀ । ଆରମ୍ଭ ହୋଇଛି ମା’ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ । ଯାହାକୁ ନେଇ ଚଳଞ୍ଚଳ ହୋଇ ଉଠିଛି କେନ୍ଦୁଝର । ଅନ୍ୟପଟେ ଆଜି ପବିତ୍ର ପଣା ସଂକ୍ରାନ୍ତି । ମାଙ୍କ ପ୍ରିୟ ପର୍ବ ପଣା ସଂକ୍ରାନ୍ତି । ଆଜିଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ ହୋଇଥାଏ । ଏହି ଅବସରରେ ସକାଳୁ ମା’ଙ୍କ ଶାବରୀ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ଆଳତୀ ପରେ ମା’ ସମସ୍ତ ଭକ୍ତଙ୍କୁ ସ୍ୱତନ୍ତ୍ର ସୁନାବେଶରେ ଦର୍ଶନ ଦେଇ ମନସ୍କାମନା ପୂର୍ଣ୍ଣ କରିଛନ୍ତି । ମା'ଙ୍କ ଏହି ଦିବ୍ୟରୂପ ଦେଖିବା ପାଇଁ ଅନେକ ଭକ୍ତଙ୍କ ଗହଳି ପରିଲକ୍ଷିତ ହୋଇଛି ।
ମାଆ ତାରିଣୀଙ୍କ ୮୭ତମ ଚଇତି ପର୍ବ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହେବ । ଶେଷ ଦିନରେ ଶହଶହ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରାଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଇତି ପର୍ବରେ ଆଜି ମା'ଙ୍କ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଛି । ୭ଦିନ ଧରି ମା' ସୁନାବେଶରେ ଦର୍ଶନ ଦେଉଥିବା ବେଳେ ଆଜି ପଣାସଂକ୍ରାନ୍ତିରେ ମା'ଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଲାଇନ ଦେଖିବାକୁ ମିଳିଛି ।
ଏନେଇ ଧାଡିରେ ଠିଆ ହୋଇଥିବା ଜଣେ ଶ୍ରଦ୍ଧାଳୁ କହିଛନ୍ତି, "ମା'ଙ୍କ ସୁନେବେଶ ଦର୍ଶନ କରିବା ସହ ଦୁଃଖ ଜଣାଇବା ପାଇଁ ଆସିଛି । ସମଗ୍ର ବିଶ୍ବବାସୀ ସୁଖରେ ରୁହନ୍ତୁ ବୋଲି କରୁଣା କରିବା ପାଇଁ କହିବି । ପଣା ସଂକ୍ରାନ୍ତିରେ ମା'ଙ୍କ ଅପୂର୍ବ ରୂପ ଦେଖିବାକୁ ମିଳେ । ଆଜିର ଦିନରେ ମା' ନିଜେ ଆର୍ବିଭାବ ହେଲା ଭଲି ମନେ ହୁଏ ।"