ଆନନ୍ଦପୁର: ଚାଷୀଙ୍କ କାମରେ ଆସୁନି ମୋ ଗୁହାଳରେ ଯୋଜନା। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଦରଡିପାଳ ଗ୍ରାମରେ ଏଭଳି ଅଭିଯୋଗ ହୋଇଛି। ଗାଁର ଜୟନ୍ତ କୁମାର ବାରିକ ଗୋପାଳନ କରି ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ମୋ ଗୁହାଳ ଯୋଜନାର ହିତାଧିକାରୀ ହୋଇ ଏକ ଗୁହାଳ ତିଆରି କରିଥିଲେ। ହେଲେ ଗୁହାଳ ତିଆରି କରିବା ପରେ ପ୍ରଶାସନ ଏବାବଦରେ ତାଙ୍କୁ ଟଙ୍କା ଦେଇନଥିବା ଅଭିଯୋଗ ହୋଇଛି।
ସଫଳ ଚାଷୀଙ୍କ କାମରେ ଆସୁନି ସରକାରୀ ଯୋଜନା ବାରମ୍ବାର ପ୍ରଶାସନ ଅଧିକାରୀଙ୍କ ଦ୍ବାରସ୍ତ ହେବା ସତ୍ତ୍ବେ ଜୟନ୍ତ କୁମାର ବାରିକ ସହୟତା ମିଳିପାରିନାହିଁ। ଗୁହାଳ ବାବଦକୁ ଟଙ୍କା ମାଗିଲେ ସରକାରୀ ବାବୁମାନେ ଏହାକୁ ଏଡ଼ାଇ ଦେଉଛନ୍ତି। ଆଜି ଆସ, କାଲି ଆସ କହି କହି ସରକାରୀ ବାବୁ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ କରିଛନ୍ତି ଜୟନ୍ତ।
ପୂର୍ବରୁ ଜମିରେ ଚାଷ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ଜୟନ୍ତ। ସ୍ବଳ୍ପ ଜମିରେ ଚାଷ କରି ନିଜ ପରିବାର ପୋଷିବା ଭାରି କଷ୍ଟ ହୋଇପଡୁଥିଲା । ପରେ ସେ ଗୋପାଳନ କରିବାକୁ ଚିନ୍ତା କରିଥିଲେ। ଦୁଇଟି ଗାଇ ଆଣି ଗୋପାଳନ ଆରମ୍ଭ କରିଥିବା ଜୟନ୍ତଙ୍କ ପାଖରେ ବର୍ତ୍ତମାନ 25ଟି ଗାଇ ରହିଛି। ଏଥିରେ ପରିବାର ଆର୍ଥିକ ଅଭାବ ଦୂର ହୋଇଛି। ସେ ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ପରିବାରକୁ ଏକ ଉତ୍ତମ ଜୀବନ ଶୈଳୀ ଦେବାରେ ସକ୍ଷମ ହୋଇଛନ୍ତି। ଏହି ସଫଳତା ପାଇଁ ସରକାରଙ୍କଠାରୁ ପୁରସ୍କୃତ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସ୍ଥାନୀୟ ପଶୁ ଡାକ୍ତର ମଧ୍ୟ ତାଙ୍କୁ ସହୟତା କରୁଥିବା କଥା କହିଛନ୍ତି ଜୟନ୍ତ।
ମୋ ଗୁହାଳ ଯୋଜନା ଆରମ୍ଭ ହେବା ପରେ ଏଥିରେ ହିତାଧିକାରୀ ହୋଇ ଗୁହାଳଟିଏ ତିଆରି କରିଥିଲେ। ଗୁହାଳ ପାଇଁ ଯଥାଶୀଘ୍ର ତାଙ୍କୁ ଟଙ୍କା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତ। ସରକାରଙ୍କଠାରୁ ଅନୁଦାନ ପାଇଲେ ଏକ ବଡ଼ ଗୋଶାଳା କରିବାକୁ ମନସ୍ଥ କରିଛନ୍ତି ଜୟନ୍ତ। ଦୃଢ ଆତ୍ମ ବିଶ୍ବାସ ଓ କଠିନ ପରିଶ୍ରମ ବଳରେ ସଫଳ ଚାଷୀ ହୋଇ ପାରିଛନ୍ତି ଜୟନ୍ତ। ହେଲେ ସରକାରୀ ବାବୁଙ୍କ ସ୍ଥାଣୁତା ଯୋଗୁଁ ତାଙ୍କୁ ଉପଯୁକ୍ତ ସହୟତା ମିଳି ପାରୁନାହିଁ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ