କେନ୍ଦୁଝର: ନିର୍ବାଚନ ପ୍ରଚାରରେ ଆସି ଗୁରୁବାର ପିସିସି ସଭାପତି ସ୍ଥାନୀୟ ପାଟଣା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଏନେଇ ସ୍ଥାନୀୟ ଅସନପାଟ ହାଇସ୍କୁଲ ପଡ଼ିଆରେ ଅପରାହ୍ନରେ ହେଲିକ୍ୟାପ୍ଟର ଯୋଗେ ଓହ୍ଲାଇ ସେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ । ଏହି ସଭାରେ କେନ୍ଦୁଝର କଂଗ୍ରେସ ସାଂସଦ ପ୍ରାର୍ଥୀ ମୋହନ ହେମ୍ବ୍ରମ ଓ ପାଟଣା ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକଙ୍କ ପାଇଁ ପ୍ରଚାର କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିଛନ୍ତି ନିରଞ୍ଜନ ।
ଏହି ଅବସରରେ ନିରଞ୍ଜନ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ପ୍ରବଳ ବର୍ଷିବା ସହିତ ତୀବ୍ର ସମାଲୋଚନା କରିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଜନଧନ ଯୋଜନା ହେଉ ଅବା ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନା, କାଳିଆ ଯୋଜନା ସବୁ ମିଥ୍ୟା ପ୍ରତିଶୃତି, ଏସବୁ ଯୋଜନା କଂଗ୍ରେସ ସରକାର ସମୟରେ ହୋଇଥିଲା ।