ଓଡିଶା

odisha

ETV Bharat / state

କଳାର ଅଦ୍ବିତୀୟ କାରିଗର ହରେକୃଷ୍ଣ - artist

ଅର୍ଥାଭାବ ହରେକୃଷ୍ଣଙ୍କ ପଠାପଢାରେ ସାଜିଥିଲା ବାଧକ । କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ଦାରିଦ୍ର୍ୟ । କଳା ପ୍ରତି ପ୍ରଗାଢ ନିଷ୍ଠା ଦେଇଥିଲା ନୂଆ ପରିଚୟ । କଠୋର ଅଧ୍ୟବସାୟ ଆଣିଥିଲା ଅନେକ ସମ୍ମାନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

By

Published : Mar 11, 2019, 11:39 AM IST

ଆନନ୍ଦପୁର: ତାଙ୍କ ହାତରେ ରହିଛି ଅଦ୍ଭୁତ ଯାଦୁ । ହାତ ବୁଲାଇ ଆଣିଲେ ସୃଷ୍ଟି ହୋଇଯାଏ କଳା । ଆଙ୍କି ହୋଇଯାଏ ମନଲୋଭା ଚିତ୍ରଟିଏ । ମାଟି ପିଣ୍ଡୁଳାଟିଏରେ ଗଢି ଦିଅନ୍ତି ମୂର୍ତ୍ତି । ନିର୍ଜୀବ ପଦାର୍ଥରେ ସୃଷ୍ଟି କରିଛନ୍ତି ଅନେକ ସଜୀବ କଳାକୃତି । ଏହା ହେଉଛି ଚିତ୍ରକଳାର ଅଦ୍ବିତୀୟ କାରିଗର ହରେକୃଷ୍ଣ ମହାରଣାଙ୍କ କାହାଣୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ହରେକୃଷ୍ଣଙ୍କ ଜନ୍ମ ୧୯୫୫ ମସିହା କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅଳତୀ ଗ୍ରାମରେ । ପିତା ଫକୀର ଚରଣ ମହାରଣା ଓ ମାତା ସୁକାନ୍ତିଙ୍କର ସେ ଜଣେ ସୁଯୋଗ୍ୟ ସନ୍ତାନ । ମାତ୍ର ୧୫ ବର୍ଷ ବୟସରେ ସେ ବାପ ଛେଉଣ୍ଡ ହୋଇଯାଇଥିଲେ । ପିଲାଟି ବେଳୁ ୨ ଭାଇ ଓ ଭଉଣୀଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ ପଡିଥିଲା । ନିଜ ପାଠ ପଢିନଥିଲେ କିନ୍ତୁ ଭାଇ ଭଉଣୀଙ୍କୁ ମଣିଷ କରିଥିଲେ ।

ଅର୍ଥାଭାବ ହରେକୃଷ୍ଣଙ୍କ ପଠାପଢାରେ ସାଜିଥିଲା ବାଧକ । କିନ୍ତୁ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଥିଲା ଦାରିଦ୍ର୍ୟ । କଳା ପ୍ରତି ପ୍ରଗାଢ ନିଷ୍ଠା ଦେଇଥିଲା ନୂଆ ପରିଚୟ । କଠୋର ଅଧ୍ୟବସାୟ ଆଣିଥିଲା ଅନେକ ସମ୍ମାନ । ତୁଳସୀ ଦୁଇପତ୍ରରୁ ବାସିବା ପରି ୬ଷ୍ଠ ଶ୍ରେଣୀରୁ ସେ ମାଟିରେ ମୂର୍ତ୍ତି ତିଆରି ଆରମ୍ଭ କରିଥିଲେ ।

ପୁରୀ ହରିହରାନନ୍ଦ ଗୁରୁକୂଳ ଆଶ୍ରମ ହେଉ କିମ୍ବା ଘଟଗାଁର ପ୍ରସିଦ୍ଧ ମାଆ ତାରିଣୀ ମନ୍ଦିର, ୧୫ଟି ଜିଲ୍ଲାରେ ତାଙ୍କ କଳା ରହିଛି ଆଦର । ମାଟି, ସିମେଣ୍ଟ, ଫାଇବର ପରି ନିର୍ଜୀବ ପଦାର୍ଥରେ ସେ ସୃଷ୍ଟି କରିଛନ୍ତି ଅନେକ ସଜୀବ କଳାକୃତି । ମୂର୍ତ୍ତି ତିଆରି, ଷ୍ଟୁଡିଓ ସିନେରୀ, ଅପେରା ପାର୍ଟି ଦ୍ୱିତୀୟ ମଞ୍ଚର ସାଜସଜ୍ଜା, ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଆଦିରେ ସେ ପାରଦର୍ଶିତା ହାସଲ କରିଛନ୍ତି ।

50 ବର୍ଷ ହେଲା ହରେକୃଷ୍ଣଙ୍କୁ ସବୁ କାମରେ ଆଗ ଖୋଜାପଡେ । ନିଜ ଭଦ୍ର ବ୍ୟବହାର ପାଇଁ ସେ ଜିଲ୍ଲାରେ ପରିଚିତ । ଜିଲ୍ଲାର କାରିଗରୀ କ୍ଷେତ୍ରରେ ସେ ଜଣେ ଅସାଧାରଣ ପ୍ରତିଭା । ନା କୌଣସି ତାଲିମ ନେଇଥିଲେ । ନା ଥିଲା ସ୍ବତନ୍ତ୍ର ପ୍ରଶିକ୍ଷଣ । ହେଲେ ଦୃଢ ଇଚ୍ଛାଶକ୍ତି ଦେଇଛି ଅପାର ସଫଳତା । ଆଜିର କର୍ମକୁଣ୍ଠ ଯୁବପିଢିଙ୍କ ପାଇଁ ହରେକୃଷ୍ଣ ଏକ ଜ୍ବଳନ୍ତ ଉଦାହରଣ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ABOUT THE AUTHOR

...view details