କେନ୍ଦୁଝର :ଖାଦ୍ୟରେ ବିଷ କ୍ରିୟା ଯୋଗୁଁ ଗୋଟିଏ ପରିବାରର ୧୧ ଅସୁସ୍ଥ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅମୃତପୁର ଗାଁରେ । ତେବେ ସେମାନଙ୍କ ମଧ୍ୟରେ ୬ଜଣ ଶିଶୁ ଓ ୫ ଜଣ ବୟସ୍କ ରହିଥିବା ବେଳେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ମୁତାବକ, ଜିଲ୍ଲାର ହାଟଡିହି ବ୍ଲକ ଅମୃତପୁର ଗାଁର ଗୋଟିଏ ପରିବାରର ୧୧ ଜଣ ଲୋକ ଗତକାଲି ମଧ୍ୟାହ୍ନରେ ଏକ ଭୋଜି କରିଥିଲେ । ଏଥିରେ ଭାତ ସହ ମାଂସ ତରକାରୀ ରାନ୍ଧି ଖାଇବା ପରେ ହଠାତ୍ ସେମାନଙ୍କୁ ବାନ୍ତି ହୋଇଥିଲା । ଏଥି ସହିତ ସେମାନଙ୍କ ମୁଣ୍ଡ ବୁଲାଇବା ସହ, କିଛି ଲୋକଙ୍କୁ ଝାଡ଼ା ମଧ୍ୟ ହୋଇଥିଲା । ଏହାପରେ ସେମାନଙ୍କୁ ଘର ଲୋକେ ଶାଳନିଆଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ନଥିବାରୁ ସେଠାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ସକାଳୁ ଡାକ୍ତର ଚିକିତ୍ସା କରିବା ପରେ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ପ୍ରକାଶ ଥାଉକି, ଗତକାଲି ଗାଜିଆବାଦର ଏକ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ କ୍ଷୀର ପିଇଥିଲେ । ଏହା ପରେ ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ଏକାକାଳୀନ ଏକାଧିକ ଛାତ୍ରଛାତ୍ରୀଙ୍କର ପେଟରେ ଯନ୍ତ୍ରଣା ହେବା ସହ ମୁଣ୍ଡବିନ୍ଧା ଏବଂ ବାନ୍ତି ହୋଇଥିଲା । ଏ ସମ୍ପର୍କରେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କର ଚିକିତ୍ସା ଜାରି ରହିଛି ।