କେନ୍ଦୁଝର: ଏସିଆ ମହାଦେଶର ପ୍ରଥମ ସ୍ପଞ୍ଜ ଆଇରନ କାରଖାନା ‘ଓଡିଶା ସ୍ପଞ୍ଜ ଆଇରନ’ ଏବେ ବନ୍ଦ ହୋଇ ପଡିଛି । ଏହି କାରଖାନା ଖୋଲିବା ଓ କର୍ମ ନିଯୁକ୍ତି ଦାବିରେ ୨୦୧୫ ମସିହାରୁ ଲଗାତର ଭାବେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କର୍ମଚାରୀ । କମ୍ପାନୀ ବନ୍ଦ ଥିବାରୁ କମ୍ପାନୀ ଅଧିକାରୀ ଏହି ଧାରଣାରତ କର୍ମଚାରୀଙ୍କ ଦାବି ମାନିବାକୁ ଅରାଜି ହେଉଥିଲେ ।
ହାଇକୋର୍ଟଙ୍କ ଆଦେଶ ପରେ କମ୍ପାନୀ କର୍ତ୍ତୃପକ୍ଷ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ଏହାସହ ଆଗାମୀ ଦିନରେ କମ୍ପାନୀ ଖୋଲିବାକୁ ସ୍ଥିର କରିଥିବା ବେଳେ ଆଲୋଚନା ଆରମ୍ଭ କରିଛନ୍ତି । ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ବିଫଳ ହେବାପରେ ପୁଃନର୍ବାର ଆଜି ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମ୍ପାନୀ ମାଲିକ, କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତରେ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।