କେନ୍ଦୁଝର: କାଳ ହେଲା ପ୍ରାତଃଭ୍ରମଣ । ପ୍ରାତଃଭ୍ରମଣ ସମୟରେ ଦୁଇ ଭଉଣୀଙ୍କ ଉପରେ ମାଡିଗଲା ଟ୍ରକ । ଘଟଣାସ୍ଥଳରେ ଦୁଇ ଭଉଣୀ ମୃତ ।
କେନ୍ଦୁଝର ମଧ୍ୟ ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ରାଇସୁଆଁଠାରେ ସକାଳୁ ସକାଳୁ ଦୁଇ ଭଉଣୀ ପ୍ରାତଃଭ୍ରମଣ କରୁଥିବା ସମୟରେ ତାଙ୍କ ଉପରେ ଟ୍ରକ ମାଡି ଯାଇଛି । ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ଦୁଇ ଭଉଣୀ ରାଇସୁଆଁ ଗ୍ରାମର ନିବେଦିତା ଦାସ ଓ ପଙ୍କଜିନି ଦାସ ବୋଲି ଜଣାପଡିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର ସୂଚନାଥାଉକି, ସବୁଦିନ ପରି ଏହି ଦୁଇ ଭଉଣୀ ପ୍ରାତଃଭ୍ରମଣରେ ବାହାରି ଥିଲେ । ରାସ୍ତାକଡରେ ଚାଲୁଥିବା ବେଳେ ଦ୍ରୁତ ଗତିରେ ପଛ ଆଡୁ ଏକ ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଫଳରେ ଦୁଇ ଭଉଣୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ତେବେ ଖବର ପାଇ ସଦର ପୋଲିସ ଟ୍ରକକୁ ପିଛା କରି ବନାଯୋଡି ଟୋଲ ଗେଟ ନିକଟରେ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି । ମୃତଦେହକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି ।
ସେହିପରି ଜାତୀୟ ରାଜପଥର ନଳା ଘାଟ ସାହି ନିକଟରେ ମଟର ସାଇକେଲକୁ ଟ୍ରକ ଚାପି ଦେଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ପୁରୁଣା ସହର ଅଞ୍ଚଳର ସନାତନ ନାୟକ ହୋଇଥିବାବେଳେ ଆହତ ଜଣଙ୍କ ଅଭିମନ୍ୟୁ ଜେନା ବୋଲି ଜଣାପଡିଛନ୍ତି । ତେବେ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ