ଓଡିଶା

odisha

ETV Bharat / state

ସାନି ନିର୍ବାଚନରେ ହୋଇଛି ସର୍ବାଧିକ ମତଦାନ

କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୋଳ ନୁଆଗାଁର 171ନଂ ବୁଥ୍‌ । ତେବେ ଗତଥର ତୁଳନାରେ ରବିବାର ମତଦାନ ହାର ବଢିଥିବା ଜଣା ପଡିଛି ।

By

Published : May 19, 2019, 9:27 AM IST

Updated : May 19, 2019, 11:09 PM IST

ଫଟୋ ସୈାଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ରାଜ୍ୟରେ 19ତାରିଖ(ରବିବାର) 10ଟି ଜିଲ୍ଲାର 34ଟି ବୁଥରେ ସାନି ମତଦାନ ହୋଇଛି । ଯେଉଁଥିରେ ସାମିଲ ରହିଛି କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୋଳ ନୁଆଗାଁର 171ନଂ ବୁଥ୍‌ । ବେଶ୍‌ ଉତ୍ସାହର ସହ ଏଠାରେ ସକାଳ 7ଟା ପୂର୍ବରୁ ଲାଇନରେ ଲାଗି ମତଦାନ ପାଇଁ ଅପେକ୍ଷା କରିଥିଲେ ଜିଲ୍ଲାବାସୀ । ତେବେ ଗତଥର ତୁଳନାରେ ରବିବାର ମତଦାନ ହାର ବଢିଥିବା ଜଣା ପଡିଛି । ମତଦାନ ହାର ଏହି ବୁଥ୍‌ରେ 84 ପ୍ରତିଶତ ରହିଥିବା ରେକର୍ଡ କରାଯାଇଛି ।

ଭିଡିଓ ସୈାଜନ୍ୟ: ପ୍ରତିନିଧି, ଆନନ୍ଦପୁର

ରବିବାର ଏଠାରେ ହୋଇଥିବା ସାନି ମତଦାନ ପ୍ରକ୍ରିୟାରେ ଭୋଟରଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ରହିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ମତଦାନରେ ପୁରୁଷ ଭୋଟରଙ୍କୁ ପଛରେ ପକାଇ ମହିଳା ଭୋଟରମାନେ ଅଧିକ ସଂଖ୍ୟାରେ ଉପସ୍ଥିତ ରହି ନିଜର ଅଧିକାର ସାବ୍ୟସ୍ତ କରିଥିଲେ । ତୃତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନରେ 742 ଜଣ ଭୋଟରଙ୍କ ମଧ୍ୟରୁ 568ଜଣ ମତଦାନ କରିଥିବା ବେଳେ ରବିବାର ଏହି ହାର ବଢି 621ରେ ପହଞ୍ଚିଥିଲା ।

ସୂଚନା ଅନୁଯାୟୀ ଏପ୍ରିଲ 23ରେ ଏଠାରେ ହୋଇଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଅନିୟମିତତା ଓ ତ୍ରୁଟି ଅଭିଯୋଗ ଆସିଥିଲା । 5ମ ପୋଲିଂ ଅଧିକାରୀ ଭୋଟରମାନଙ୍କୁ ପ୍ରଭାବିତ କରି ନିଜେ ଭୋଟ ଦେଉଥିବା ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଥିଲା । ପରେ ମେ' 19(ରବିବାର) ସାନି ମତଦାନ କରିବା ପାଇଁ ସିଇଓ ସୁରେନ୍ଦ୍ର କୁମାର ସୂଚନା ଦେଇଥିଲେ ।

ତେବେ ସାନି ମତଦାନକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ଏବଂ ପ୍ରଶାସନ ତରଫରୁ ଏଠାରେ ଅବାଧ ଓ ନିରପେକ୍ଷ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସକାଳୁ ଏହି ବୁଥରେ ମହିଳା ଓ ପୁରୁଷ ଧାଡ଼ି ବାନ୍ଧି ଭୋଟ ଦେବା ପାଇଁ ଅପେକ୍ଷା କରିଥିଲେ । ଏହାକୁ ନେଇ ଘଷିପୁରାରୁ ବିଜେଡି ଟିକେଟରେ ଲଢ଼ୁଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ । ଏହାସହ ଓଡିଶାରେ ପୁଣି ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବା କଥା ସେ କହିଛନ୍ତି ।

ସେହିପରି ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ତହସିଲଦାର ତପନ କୁମାର ନାଏକ । ରାଜ୍ୟର କଟକ, ଦେବଗଡ଼, ପୁରୀ, ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ ଓ ଜଗତସିଂହପୁର ଜିଲ୍ଲାର 34ଟି ବୁଥରେ ସାନି ମତଦାନ ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ତୃତୀୟ ପର୍ଯ୍ୟାୟ ନିର୍ବାଚନର 12ଟି ବୁଥ୍ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର 22ଟି ବୁଥରେ 19ତାରିଖରେ ସାନି ମତଦାନ ହେବ। କଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : May 19, 2019, 11:09 PM IST

ABOUT THE AUTHOR

...view details