ଓଡିଶା

odisha

ରାସ୍ତା ନିର୍ମାଣର ବାସ୍ତବ ଚିତ୍ର: 10 ଦିନରେ ଉଠିଗଲା ପିଚୁ

By

Published : Jul 11, 2019, 4:02 PM IST

ପିଏମଜିଏସୱାଇ ଯୋଜନା ମାଧ୍ୟମରେ ଲୋକେ କେତେ ଉପକୃତ ହେଉଛନ୍ତି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଘୁଣ୍ଟପଶି ଅଞ୍ଚଳରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝକ

କେନ୍ଦୁଝର: ଦେଶର ଗ୍ରାମାଞ୍ଚଳରେ ପରିବହନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲକ୍ଷ୍ୟରେ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିଲା ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନ(ପିଏମଜିଏସୱାଇ) । ଏହାର ଲକ୍ଷ୍ୟ ଥିଲା ଯେ ଗାଁଗଣ୍ଡାରେ ସୁବିଧାରେ ଯିବାଆସିବା କରିବା ପାଇଁ ସବୁଦିନିଆ ରାସ୍ତା ନିର୍ମାଣ କରିବା ସହ ଗାଁକୁ ସହର ସହ ଯୋଡିବା । ଯାତାୟତ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରିବା ଲକ୍ଷ୍ୟରେ ପିଏମଜିଏସୱାଇ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ।

ମାତ୍ର ଏହା ଦ୍ବାରା ଲୋକେ କେତେ ଉପକୃତ ହେଉଛନ୍ତି ତାହାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ଘୁଣ୍ଟପଶି ଅଞ୍ଚଳରେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ପିଏମଜିଏସୱାଇ ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଥିଲା 2 କିଲୋମିଟର ଲମ୍ବର ପିଚୁ ରାସ୍ତା। ଏଥିପାଇଁ ଅନୁଦାନ ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହାର ନିର୍ମାଣ ଦାୟୀତ୍ବରେ ଥିବା ଠିକାଦାର କାର୍ଯ୍ୟ ସମ୍ପାଦନ କରିସାରିଛନ୍ତି । ଏହି ରାସ୍ତାର ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ । ଠିକ ଭାଗମାପରେ କାମ ହୋଇନଥିବା ଯୋଗୁଁ ପିଚୁ ପଡିବାର ଦଶ ଦିନ ମଧ୍ୟରେ ଫଡା ଫଡା ଏହା ଉଠି ଯାଉଥିବା ଦେଖାଦେଇଛି । ପାଦ କିମ୍ବା ହାତରେ ଟାଣିଦେଲେ ପିଚୁ ଉଠିଆସୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝକ

ଏ ରାସ୍ତା ଦେଇ ନିକଟସ୍ଥ ଗ୍ରାମର ଶତାଧିକ ଗ୍ରାମବାସୀ ଯିବାଆସିବା କରିଥାନ୍ତି । ଯେଉଁଠି ସାଇକେଲରେ ଗଲେ ପିଚୁ ଉଠିଯାଉଛି, ସେଠାରେ ଭାରି ଯାନ ଗଲେ ରାସ୍ତାର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ରାସ୍ତା ନିର୍ମାଣରେ ହୋଇଥିବା ଅନିୟମିତତା ବାବଦରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଘଟଣା ବାବଦରେ ସେ ଅବଗତ ଅଛନ୍ତି । ରିପୋର୍ଟ ଆସିଲା ପରେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇଛନ୍ତି ଯନ୍ତ୍ରୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details