କେନ୍ଦୁଝର/ଭୁବନେଶ୍ବର:ଖଣିଜ ସମ୍ପଦ ଭରା କେନ୍ଦୁଝର ଜିଲ୍ଲାରେ ଅଣ୍ଡା କିଣିବାକୁ ଅର୍ଥର ଅଭାବ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଅର୍ଥ ଅଭାବରୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ଦିଆଯାଉଛି ଶୁଖିଲା ବିସ୍କୁଟ । ଭିଡିଓ ଭାଇରାଲ ହେବା ପରେ ଏବେ କେନ୍ଦୁଝରରୁ ରାଜଧାନୀ ଯାଏଁ ଆରମ୍ଭ ହୋଇଛି ଖୋଳତାଡ । ଏନେଇ ମୁହଁ ଖୋଲିଛନ୍ତି ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସର ରଘୁରାମ ଆର. ଆୟର ।
ଘଟଣା ଅନୁସାରେ ଜିଲ୍ଲାର ଚମ୍ପୁଆ ବୁକ ଅନ୍ତର୍ଗତ ପତଳା ପ୍ରାଥମିକ ବିଦ୍ୟାଳୟରେ ଦୁଇ ସପ୍ତାହ ଧରି ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିଲା । ଅଣ୍ଡା ବଦଳରେ ବିସ୍କୁଟ ଦେବା ଭିଡିଓ ଭାଇରାଲ ହେବା ପରେ ଚମ୍ପୁଆ ବୁକ ଶିକ୍ଷା ଅଧିକାରୀ ବିକାଶ ସାହୁଙ୍କ ନିର୍ଦ୍ଦେଶକ୍ରମେ ସିଆରସି ଦୀପକ ମିଶ୍ର ପୂର୍ବତନ ସିଆରସି ସୁଶାନ୍ତ କୁମାର ନାଏକ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଅଣ୍ଡା ପାଇଁ ସରକାର ଯେତିକି ଟଙ୍ଗା ଦେଉଛନ୍ତି ତାଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଶିକ୍ଷକ ମାନେ ଅଭିଯୋଗ କରୁଛନ୍ତି । ଫଳରେ ବିସ୍କୁଟ ଦେଉଛନ୍ତି । ସେହିପରି ଡିଏମଏଫ ନିଜ ଭାଗର ଟଙ୍କା ଠିକ ସମୟରେ ଦେଉନାହିଁ । ତେଣୁ ପିଲାଙ୍କୁ ଅଣ୍ଡା ଯୋଗାଇବାରେ ବହୁତ ଅସୁବିଧା ହେଉଛି । ଏ ସମ୍ପର୍କରେ ଚମ୍ପୁଆ ବିଇଓ ବିକାଶ ସାହୁ ଶିକ୍ଷକମାନେ ଲିଖିତ ଭାବେ ଜଣାଇଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଫୋନ ଯୋଗେ କହିଛନ୍ତି । ତେବେ ଅଣ୍ଡା ବଦଳରେ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ଦେବା ଘଟଣା ନେଇ ଜିଲ୍ଲା ସ୍ତରରେ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ- ମହରଗ ଦୁନିଆରେ ମଧ୍ୟାହ୍ନ ଭୋଜନ ଟେନସନ୍; ପରିବା ଦର ଆକାଶଛୁଆଁ, ସ୍କୁଲରେ ପିଲା ଖାଇବେ କଣ ?
ଅଭିଯୋଗ ହେଉଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଏବେ ଚିନ୍ତାରେ ଶିକ୍ଷକ ଶିକ୍ଷୟତ୍ରୀ । ବିଭିନ୍ନ ସାମଗ୍ରୀର ଦର ଦାମ ବୃଦ୍ଧି ଘଟିଥିବାରୁ ଅଣ୍ଡା ବଦଳରେ ବିସ୍କୁଟ ଦିଆଯାଉଥିବା ନଜରକୁ ଆସିଛି । ବଜାରରେ ଏବେ ଅଣ୍ଡା ଦର ୭ ଟଙ୍କାରୁ ଅଧିକ ରହିଛି । ଏପଟେ କିନ୍ତୁ ରାଜ୍ୟ ସରକାର ଅଣ୍ଡା ପିଛା ୫ ଟଙ୍କା ୩୦ ପଇସା ଦେଉଛନ୍ତି । ବାକି ୧ ଟଙ୍କା ୭୦ ପଇସା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ହାତରୁ ଦେବାକୁ ପଡୁଛି । ଯେଉଁଥିପାଇଁ ଏବେ ଅଣ୍ଡା ବଦଳରେ କିଛି ସ୍କୁଲରେ ବିସ୍କୁଟ, ଖସାଲଡୁ ଦିଆଯାଉଥିବା ଦେଖିବାକୁ ମିଳୁଛି ।