ଭୁବନେଶ୍ବର:ଜିଲ୍ଲାରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା । ୮ ସପ୍ତାହ ମଧ୍ୟରେ ଉଚିତ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ତଥ୍ୟ ଅନୁଯାୟୀ ମାତ୍ର ୫ ମାସ ମଧ୍ୟରେ ରୋଗରେ ପଡ଼ି ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ଜୀବନ ଯାଇଥିବା ବେଳେ ମୃତକଙ୍କ ମଧ୍ୟରେ ରହିଛନ୍ତି ଜଣେ 6 ବର୍ଷର ଶିଶୁ । ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
କେନ୍ଦୁଝରରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା କେନ୍ଦୁଝର ବଂଶପାଳ ବ୍ଲକ ଜନ୍ତାରି ଗାଁରେ ଗତ କିଛି ମାସ ମଧ୍ୟରେ ଅନେକ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ତେବେ ଅଜଣା ରୋଗର ଶିକାର ହୋଇ ୫ ମାସ ମଧ୍ୟରେ ଶିଶୁ ସମେତ ୯ ଜଣ ଜୁଆଙ୍ଗ ଆଦିବାସୀଙ୍କ ଜୀବନ ଯାଇଥିବା ସୂଚନା ରହିଛି । ତେବେ ଲୋକମାନେ ସଚେତନ ନଥିବା ବେଳେ ସେମାନଙ୍କ ନିକଟକୁ ପ୍ରଶାସନ ମଧ୍ୟ ସମୟରେ ପହଞ୍ଚି ପାରିନଥିଲା । ସ୍ୱାସ୍ଥ୍ୟ ବିଭାଗର ଅବହେଳା ଓ ଅପହଞ୍ଚ ସ୍ୱାସ୍ଥ୍ୟ ସେବାକୁ ଏହି ଅଘଟଣ ପାଇଁ ଦାୟୀ କରିଥିଲେ ସ୍ଥାନୀୟ ଲୋକେ ।
ଏହାମଧ୍ୟ ପଢନ୍ତୁ...ଅଜଣା ରୋଗ ନେଉଛି ଜୀବନ, ଗାଁରେ ପହଞ୍ଚିଲେ ମେଡିକାଲ ସହ ପ୍ରଶାସନିକ ଟିମ
ତେବେ ଏହି ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବିକ ଅଧିକାର କମିଶନ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗାଁଠାରୁ 15 କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଓ 40 କିଲୋମିଟର ଦୂରରେ ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ତେବେ ଏତେ ଦୂରରେ ହସ୍ପିଟାଲ ଥିବାରୁ ଲୋକମାନେ ସଠିକ ସମୟରେ ଏଠାକୁ ଆସିପାରୁ ନାହାଁନ୍ତି । ଯାହା ଫଳରେ କି ସ୍ୱାସ୍ଥ୍ୟଗତ କାରଣରୁ ଅକାଳରେ ସେମାନଙ୍କ ମୃତ୍ୟୁ ଘଟୁଛି । ଏବେବି ଏଠାରେ 10ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପଡ଼ି ରହିଛନ୍ତି ।
ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ସଠିକ ଭାବରେ ଚିକିତ୍ସା କରନ୍ତି ନାହିଁ । ଅନେକ ସମୟରେ ଛୁଟିରେ ରହିଥାଆନ୍ତି । ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଏହି ଅଞ୍ଚଳକୁ ଯିବାକୁ ମଧ୍ୟ ଅମଙ୍ଗ ହୋଇଥାନ୍ତି । ବାରମ୍ବାର ରୋଗରେ ପଡିବା ପରେ ଚିକିତ୍ସାରେ ଅବହେଳା ପାଇଁ ଜୁଆଙ୍ଗ ଆଦିବାସୀମାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଜାତୀୟ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଏନେଇ ଏକ ପିଟିସନ ଦାଖଲ କରିଥିଲେ । ଏହାକୁ ବିଚାର କରି ଜାତୀୟ ମାନବାଧିକାର କମିଶନ ୮ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର