ଆନନ୍ଦପୁର: ଦୀର୍ଘ ୮ ମାସ ହେବ କୋରୋନା କଟକଣା ପାଇଁ ହାତବାନ୍ଧି ବସିଥିବା ବେଳେ, ଦିପାବଳୀ ପାଇଁ ଦୀପ ସହ ମାଟି ଜିନିଷ ତିଆରି କରିଛନ୍ତି କେନ୍ଦୁଝର ଘସିପୁରା ବ୍ଳକ କେଶଦୁରାପାଳ ଗାଁର କୁମ୍ଭକାର ମାନେ । ହେଲେ ସେସବୁକୁ ବିକ୍ରି କରିବା ନେଇ ଏବେ ଚିନ୍ତାରେ ଅଛନ୍ତି କୁମ୍ଭକାର । କାରଣ କୋରୋନା ମହାମାରୀ କାରଣରୁ ମାନ୍ଦା ରହିଛି ବ୍ୟବାସାୟ । ପୂର୍ବ ପରି ହାଟ ବଜାର ବସୁ ନଥିବାରୁ ଏସବୁ ସାମଗ୍ରୀ ବିକ୍ରି କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏମାନେ ।
କୋରୋନା ଦାଉ: ମାନ୍ଦା ପଡିଛି ଦୀପ ବ୍ୟବସାୟ, କାନ୍ଦୁଛି କୁମ୍ଭାର ସମାଜ ପୂର୍ବରୁ ଯେଉଁ ସାମଗ୍ରୀ ମାନ ପ୍ରସ୍ତୁତ ହେଉଥିଲା ବ୍ୟବସାୟୀ ମାନେ ସେସବୁକୁ ନେଇଯାଉଥିଲେ, ହେଲେ ବେପାର ମାନ୍ଦା ଥିବାରୁ ଏଥର ଏହି ସବୁ ସାମଗ୍ରୀ ପଡି ରହିଛି । କୁମ୍ଭାର ମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ, କଞ୍ଚାମାଲ ଓ ଜାଳେଣିର ସମସ୍ୟା ମଧ୍ୟ ଲାଗିରହିଛି । ଯାହାକୁନେଇ ସରକାରୀ ସହାୟତା ଦାବି ହୋଇଛି ।
ଦିନ ଥିଲା ଏହି କେଶଦୁରାପାଳ ଗାଁର ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ବେଶ ପ୍ରସିଦ୍ଧ ଥିଲା । ଗାଁର ୫୦ ରୁ ଉର୍ଦ୍ଧ୍ବ ପରିବାର ମାଟିରେ ହାଣ୍ଡି, ମାଠିଆ, ସୁରେଇ, ଫୁଲକୁଣ୍ଡ, ଘୋଡା, ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରି ପରିବାର ପ୍ରତିପୋଷଣ କରୁଥିଲେ । ଆନନ୍ଦପୁର ସମେତ ପଡୋଶୀ ଜିଲ୍ଲା ଯାଜପୁର, ଭଦ୍ରକ ଅଞ୍ଚଳରେ ଏସବୁ ଜିନିଷ ବିକ୍ରି ହେଉଥିଲା । ହେଲେ ଏବେ ପ୍ଲାଷ୍ଟିକ, ଷ୍ଟିଲ, ଚାଇନା ଆଦି ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଥିବା ବେଳେ, କୋରୋନା କାରଣରୁ ଦୁଃଖ ଆହୁରି ଦୁଇ ଗୁଣା ହୋଇଛି।
ତେବେ କୋଭିଡ କଟକଣା ପାଇଁ ବାଣ ଫୁଟିବା ଉପରେ ଲାଗୁ ହୋଇଥିବା କଟକଣା ଯୋଗୁଁ ଏବର୍ଷ ବହୁ ମାତ୍ରାରେ ମାଟି ସାମଗ୍ରୀ ବିକ୍ରି କରି ଭଲ ଦୁଇ ପଇସା ରୋଜଗାରର ଆଶା ରଖିଛନ୍ତି କୁମ୍ଭକାର ମାନେ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ